ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢା ପାଇଁ କୌଣସି ଖର୍ଚ କରିବାକୁ ପଡିବ ନାହିଁ । ଏଣିକି ସେମାନେ ମାଗଣାରେ ପାଠ ପଢ଼ିବେ। ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଏହି ପିଲାମାନଙ୍କର ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଏସ୍ସିଏସ୍ଟି ପିଲାମାନଙ୍କର ପାଠପଢ଼ା ଖର୍ଚ୍ଚ ହେବ। ଏହି ଯୋଜନା ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବ। ସରକାରଙ୍କ ଦ୍ୱାରା ଏହି ସୁବିଧା ଦିଆଯିବା ଦ୍ବାରା ସରକାରୀ ସ୍କୁଲରେ ପଢୁଥିବା ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀ ଉପକୃତ ହେବେ।
ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ସଚିବ ରୂପାରୋଶନ ସାହୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାର ବାର୍ଷିକ ଫି, କୋର୍ସ ଫି ଅର୍ଥ ବହନ କରିବେ। ସେହିପରି ବହି ଖର୍ଚ୍ଚ, ଟ୍ୟୁସନ ଫି’ ଏବଂ ହଷ୍ଟେଲ ଫି’ ମଧ୍ୟ ସରକାର ବହନ କରିବେ। ପାଠପଢ଼ା ପାଇଁ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଯଥା ବହି, କୋଚିଂ ସାମଗ୍ରୀ, ଟ୍ୟୁଟେରିଆଲ ଖର୍ଚ୍ଚକୁ ରାଜ୍ୟ ସରକାର ବହନ କରିବେ । ୨୦୨୩-୨୪ ଶିକ୍ଷା ବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଜଣା ପଡିଛି ।