ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଥିବା ଭାରତୀ ସିଂଙ୍କୁ ନିଲମ୍ବନ କରାଯିବା ପ୍ରସଙ୍ଗରେ ନବୀନଙ୍କୁ ଚିଠି ଲେଖିଲେ ସମୀର । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜ ଜିଲ୍ଲାର ଝିଅ ଭାରତର ରାଷ୍ଟ୍ରପତି ହୋଇଛନ୍ତି । ସେହି ଜିଲ୍ଲାର ଝିଅର ଦୁଃଖ ନଶୁଣି ଚାକିରିରୁ ନିଲମ୍ବନ କରିବା ଚିନ୍ତାଜନକ । ଏହା ମହିଳା ସଶକ୍ତିକରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭିଯୋଗ ଶୁଣିବା ପରିବର୍ତ୍ତେ ଚାକିରିରୁ ବହିଷ୍କାର କରିବା ଦୁର୍ଭାଗ୍ୟଜନକ ବୋଲି ସମୀର ମହାନ୍ତି କହିଛନ୍ତି ।
ମୟୂରଭଞ୍ଜ ଜିଲ୍ଲା ବାରିପଦା ନିର୍ବାଚନ ମଣ୍ଡଳୀ, ଖୁଂଟା ବ୍ଲକ ବନ୍ଧଗୋଡା ଗ୍ରାମ ପଂଚାୟତର ଆଦିବାସୀ ମହିଳା ଶ୍ରୀମତୀ ଭାରତୀ ସିଂ ମିଶନ ଶକ୍ତି ଅଧୀନରେ ବ୍ୟାଙ୍କ୍ ମିତ୍ର ଭାବରେ କାର୍ଯ୍ୟ କରି ନିଜର ପରିବାର ଭରଣପୋଷଣ କରୁଥିଲେ । ପଂଚାୟତରେ ଦୀର୍ଘ ବର୍ଷ ଧରି କାମ କରୁଥିଲେ । ନିଜର କାମରେ ଭଲ ପ୍ରଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ମିଶନ ଶକ୍ତି ଦ୍ୱାରା ତାଙ୍କୁ ପୁରଷ୍କୃତ ମଧ୍ୟ କରିଛନ୍ତି ।
ବ୍ୟାଙ୍କ୍ ମିତ୍ର ଚାକିରୀ ପାଇଁ ତାଙ୍କୁ ମାସିକ ୬୦୦୦ଟଙ୍କା ଗ୍ରାମ ପଂଚାୟତସ୍ତରୀୟ ଫେଡେରେସନ ଦ୍ୱାରା ଆର୍ଥିକ ଅନୁଦାନ ମିଳିଥାଏ । ଏତିକି ଅର୍ଥରେ ପରିବାର ଗୁଜୁରାଣ ମେଂଟୁ ନଥିବାରୁ ସେ ତାଙ୍କ ଅସୁବିଧା ବିଷୟରେ ନିଜ ଉପରୋକ୍ତ ଅଧିକାରୀଙ୍କୁ ଜଣାଇବା ସହ ଅତିରିକ୍ତ ଆର୍ଥିକ ରାଶି ଦେବା ପାଇଁ ଦାବି କରିଥିଲେ । ତାଙ୍କ କଥାକୁ କେହି କର୍ଣ୍ଣପାତ ନକରିବା କାରଣରୁ ସେ ନିଜର ଅଧିକାର ପାଇଁ ଭୁବନେଶ୍ୱର ଆସି ଲୋୟର ପିଏମ୍ଜିରେ ଗଣମାଧ୍ୟମ ସମ୍ମୁଖରେ ନିଜ ଦାବି ଉପସ୍ଥାପନ କରିଥିଲେ ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ ୫ଟି ସଚିବ ରାଜ୍ୟର ସମସ୍ତ ଜିଲ୍ଲା ବୁଲି ଯେଉଁ ଅଭିଯୋଗ ଗ୍ରହଣ କରିଥିଲେ ସେଥିରେ ବ୍ୟାଙ୍କ୍ ମିତ୍ର ମାନେ ମଧ୍ୟ ତାଙ୍କୁ ଅଭିଯୋଗ ଦେଇଥିଲେ । କିନ୍ତୁ ଅଭିଯୋଗର ସମାଧାନ ପାଇଁ କୌଣସି ତତ୍ପରତା ପ୍ରକାଶ କରାଯାଇନଥିବା ସେ ଗଣମାଧ୍ୟମ ସମ୍ମୁଖରେ କହିଥିଲେ । ଆପଣ ଯଦି ଚିନ୍ତା କରିବେ, ଆଜିର ସମୟରେ ୬୦୦୦ ଟଙ୍କାରେ ମାସକୁ କୁଟୁମ୍ବର ତିନି ପ୍ରାଣୀଙ୍କୁ ଚଳାଇବା କାଠିକର । ତାଙ୍କ ପ୍ରତିକ୍ରିୟାକୁ ନେଇ ଜିଲ୍ଲା ପ୍ରଶାସନ ଗରିବ ଶ୍ରୀମତୀ ସିଂଙ୍କୁ ତାଙ୍କ ଚାକିରୀରୁ ବହିଷ୍କୃତ କରିବା ଦୁଃଖର ବିଷୟ । ଏହି ଖବର ପ୍ରତ୍ୟେକ ଓଡିଆଙ୍କୁ ଦୁଃଖ ଦେଇଛି ।
ରାଜ୍ୟ ସରକାର ମହିଳା ସଶକ୍ତିକରଣ କଥା କହୁଛନ୍ତି । କିନ୍ତୁ ଜଣେ ଗରିବ ମା’ ର ଗୁହାରି ନଶୁଣି ତାଙ୍କୁ ଚାକିରୀରୁ ନିଲମ୍ବିତ କରିବା ଶୋଭନୀୟ ନୁହେଁ । ଏହି ବିଷୟ ମହିଳା ସଶକ୍ତିକରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଆମ ଓଡିଶାର ଝିଅ ରାଷ୍ଟ୍ରପତି ହୋଇଛନ୍ତି । କିନ୍ତୁ ସେହି ଜିଲ୍ଲାରେ ଝିଅଙ୍କ ଦୁଃଖ ନଶୁଣି ଚାକିରୀରୁ ବହିଷ୍କାର କରିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସମୀର କହିଛନ୍ତି ।
ଏଭଳି ସମ୍ବେଦନଶୀଳ ଘଟଣାକୁ ମୁଖ୍ୟମନ୍ତ୍ରୀ ବିଚାରକୁ ନେଇ ଭାରତୀ ସିଂଙ୍କୁ ପୁଣି ଥରେ ଚାକିରୀରେ ଅବସ୍ଥାପିତ କରାଇ ତାଙ୍କୁ ଯଥୋଚିତ ନ୍ୟାୟ ପ୍ରଦାନ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ସମୀର ମହାନ୍ତି ।