ସାଲେପୁର : ରାଜ୍ୟ ସରକାର ଗ୍ରାମାଂଚଳରେ ଥିବା ମଠ, ମନ୍ଦିରର ବିକାଶ ପାଇଁ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ଅନୁଦାନ ରାଶି ଦେଇଥିବା ବେଳେ ପଂଚାୟତରୁ ଯାଇଥିବା ପ୍ରସ୍ତାବ ମନମୁଖୀ ହୋଇଥିବାରୁ ସାଲେପୁର ବ୍ଲକର ବହୁ ପଂଚାୟତରେ ଅସନ୍ତୋଷ ବ୍ୟାପିଥିବା ଦେଖାଯାଇଛି ।
ସୂଚନା ମୁତାବକ, ସାଲେପୁର ବ୍ଲକର ଶିଶୁଆ, ମହଣ, ଜପକୁଦ, କଟରପା, ରାମକୃଷ୍ଣପୁର, ସୌରୀ, ଛାଣିପୁର, ଓଡାସିଂହ, ଭୀମଦାପୁର, ରାଇସୁଙ୍ଗୁଡା, ମିର୍ଜାପୁର, ପିକୋଳ, ଚନ୍ଦ୍ରାଦେଇପୁର ଆଦି ସ୍ଥାନରେ ପଂଚାୟତ ବୈଠକ କରାନଯାଇ ସରପଂଚ ଓ କେତେକ ରାଜନୈତିକ ବ୍ୟକ୍ତି ପଂଚାୟତରେ ଚିଠା ପ୍ରସ୍ତୁତ କରି ବିଭାଗୀୟ ଅଧିକାରୀଙ୍କୁ ଦେଇଛନ୍ତି । ଫଳରେ ବାସ୍ତବରେ କାର୍ଯ୍ୟକ୍ରମ ହେବାକୁ ଥିବା ମଠ ମନ୍ଦିର ମସଜିଦ୍ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟରେ ସାମିଲ ହୋଇ ପାରୁନାହିଁ । ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ସାଲେପୁର ଗସ୍ତରେ ଆସିଥିଲା ବେଳେ ବହୁ ବ୍ୟକ୍ତି ଫାଇଭ-ଟି ସଚିବଙ୍କୁ ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ ।
ସୂଚନା ମୁତାବକ, ଯେଉଁ ପଂଚାୟତରୁ ପ୍ରସ୍ତାବ ଗୁଡିକ ଯାଇଛି ତାହାର ତଦନ୍ତ ଚାଲିଥିଲା ବେଳେ ବହୁ ସ୍ଥାନରେ ପଂଚାୟତରୁ ଅର୍ଥ ଫେରିଯିବାର ସମ୍ଭାବନା ଦେଖାଦେଇଛି ।