ସାଲେପୁର : ରାଜ୍ୟରୁ ଦୁର୍ନୀତି ହଟାଇବା ପାଇଁ ସରକାର ବାରମ୍ବାର ତାଗିଦ କରୁଥିବା ବେଳେ ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକରେ ଲୋକମାନେ ନ୍ୟାୟ ନପାଇ ନାନା ପ୍ରକାର ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି । ଏହି ବ୍ଲକରେ ୪୧ଟି ପଂଚାୟତ ଥିବା ବେଳେ ବ୍ଲକ ମାଧ୍ୟମରେ ପଂଚାୟତକୁ ଆସୁଥିବା ଏନ୍ ଆର ଇ ଜି ଏସ୍ କାମଠାରୁ ଆରମ୍ଭ କରି ରାସ୍ତାଘାଟ ନିର୍ମାଣ, ଅଙ୍ଗନୱାଡି ଘର, ତଥା ଅ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ଦଳୀୟ ଭିତିରେ ଚାଲିଥିଲା ବେଳେ କାର୍ଯ୍ୟକୁ ତଦାରଖ କରିବା ପାଇଁ ଆବଶ୍ୟକ କର୍ମଚାରୀ ନଥିବା ଜଣାପଡିଛି । କର୍ମଚାରୀଙ୍କ ଅଭାବର ବାହାନା ଦେଖାଇ ଦଳୀୟ ଠିକାଦାରମାନେ ସରକାରଙ୍କ ଅନୁଦାନ ଅର୍ଥକୁ ଠିକ୍ ଭାବରେ କାମ ନକରି ବିଭାଗୀୟ କର୍ମଚାରୀଙ୍କୁ ଧରି ବିଲ୍ କରାଇ ନେଉଥିବା ଅଭିଯୋଗ ହୋଇଛି । କୌଣସି ପଂଚାୟତର ବିରୋଧି ଦଳର ନେତାମାନେ ଅଭିଯୋଗ ନେଇ ବ୍ଲକ ସହକାରୀ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ କର୍ମଚାରୀଙ୍କୁ ଭେଟି ପାରୁନଥିବା ସାଙ୍ଗକୁ ବହୁ ସମୟରେ ଦୁର୍ନୀତି ହେଉଥିବା କାର୍ଯ୍ୟକୁ ପରୋକ୍ଷରେ ଅଫିସରମାନେ ଘଣ୍ଟ ଘୋଡାଉଥିବା ଜଣାପଡିଛି । ସମଗ୍ର ଓଡିଶାରେ ୩୧୪ ଟି ବ୍ଲକ ମଧ୍ୟରୁ ନିଶ୍ଚିନ୍ତକୋଇଲି ବ୍ଲକ ୨ ଟି ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ ଥିବାରୁ ଏହି ବ୍ଲକର କର୍ମଚାରୀମାନେ ରାଜନୈତିକ ବାହାନା କରି ପରସ୍ପର ଉପରେ ଦୋଷା ଲଦା ଲଦି ବେଶ୍ ଦି ପଇସା ରୋଜଗାର କରୁଥିବା ଜଣାପଡିଛି । ଏପରିକି ଏହି ବ୍ଲକକୁ ଆସୁଥିବା କର୍ମଚାରୀମାନେ ବଦଳି ହେଲେ ବି ଯିବାକୁ ଇଚ୍ଛାନଥିବା ଜନୈକ କର୍ମଚାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଏହି ବ୍ଲକ ଉପରେ ତଦନ୍ତ କଲେ କର୍ମଚାରୀଙ୍କ ବହୁ କଳାକାରନାମା ଲୋକ ଲୋଚନକୁ ଆସିବା ସହ ସାଧାରଣ ଲୋକମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।