ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟପନ୍ଥା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ସମ୍ବନ୍ଧରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମାନ୍ୟବର ମନ୍ତ୍ରୀଙ୍କୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ବାତ୍ୟା ମୁକାବିଲାର ବିଭିନ୍ନ ଦିଗ ଓ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।
ଏହି ବୈଠକରେ ପୁରୀ ଜିଲ୍ଲାରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ସମ୍ଭାବ୍ୟ ବାତ୍ୟା ‘ଦାନା’ରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଅନ୍ତର୍ଗତ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରତି ଡିଭିଜନ୍ରେ ଯେପରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ସେ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ବାତ୍ୟା ଯୋଗୁଁ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହେଲେ ଅଗ୍ନିଶମ ବିଭାଗ ଓ ଜିଲ୍ଲା ପ୍ରଶାସନ ସହାୟତାରେ ଗଛ କଟାଯାଇ ରାସ୍ତାଗୁଡ଼ିକ ପୁନଃଯାତାୟତକ୍ଷମ କରାଇବା ଆଦି ବିଷୟରେ ସମୀକ୍ଷା ହୋଇଥିଲା ।
ଏହି ସମୀକ୍ଷା ବୈଠକ ପୂର୍ବରୁ ଆଭାସି ମାଧ୍ୟମରେ ଯୋଗଦେଇଥିବା ଯନ୍ତ୍ରୀମାନଙ୍କୁ ଉପଯୁକ୍ତ ସମନ୍ୱୟ ରକ୍ଷା ସହ ମାନବସମ୍ବଳର ସୁବିନିଯୋଗ ଦ୍ୱାରା କାର୍ଯ୍ୟ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟାଳୟ, ସର୍ବୋଚ୍ଚ ଯନ୍ତ୍ରୀ କାର୍ଯ୍ୟାଳୟ ଓ ପ୍ରଭାବିତ ଅଞ୍ଚଳର ଗ୍ରାମ୍ୟ ଉନ୍ନୟନ ଡିଭିଜନ୍ଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯିବ ବୋଲି ଶ୍ରୀ ସିଂହ ପ୍ରକାଶ କରିଥିଲେ ।
ରାଜ୍ୟ ସରକାର ‘ଶୂନ୍ୟ ମୃତୁ୍ୟ’ର ଲକ୍ଷ୍ୟ ରଖିଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣପୂର୍ବକ ସମ୍ମିଳିତ ଭାବେ କାର୍ଯ୍ୟକରି ଏହି ଲକ୍ଷ୍ୟ ହାସଲ କରିବାକୁ ମନ୍ତ୍ରୀ ଶ୍ରୀ ନାଏକ ନିର୍ଦ୍ଦେଶ ଦେଇଥିଲେ ।