କୋରେଇ : ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଂଚାୟତ ଗୋବିନ୍ଦପୁର (ବ୍ରାହ୍ମଣ ଶାସନ) ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପଣ୍ଡିତ ଲଛମନ ପଣ୍ଡା(୭୦) ଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ବୁଧବାର ରାତ୍ରୀରେ ତାଙ୍କର ହୃଦ୍ଘାତ ଘଟିବାରୁ ତାଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ପଣ୍ଡିତ ଶ୍ରୀ ପଣ୍ଡା ଙ୍କ ଅବସର ପରେ ସ୍ଥାନୀୟ ଅଂଚଳରେ ପଣ୍ଡିତ ଭାବେ ତାଙ୍କର ସୁନାମ ଥିଲା। ରାମ ଚରିତ ମାନସ ଓ ବିଭିନ୍ନ ଯଜ୍ଞ ଓ କର୍ମାଣୀ କାର୍ଯ୍ୟରେ ତାଙ୍କର ବଡ ଭୂମିକା ରହିଥିଲା। ତାଙ୍କ ଆକସ୍ମିକ ବିୟୋଗକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଗତକାଲି ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ସଂକୀର୍ତ୍ତନ ସହ ନିଆଯାଇ ପୂଣ୍ୟତୋୟା ବୈତରଣୀ କୂଳ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପୁଅ ଗୋକୁଳ ପଣ୍ଡା ମୁଖାଗ୍ନୀ ଦେଇଥିଲେ।
ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଲିଙ୍ଗେଶ୍ଵର ଉନ୍ନୟନ କମିଟି, ଶିକ୍ଷାବିତ, ବୁଦ୍ଧିଜୀବୀ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ। ଲିଙ୍ଗେଶ୍ଵର ଉନ୍ନୟନ କମିଟିର ସଭାପତି ଦୈତାରୀ ଧଳ, ସମ୍ପାଦକ ପ୍ରଦୀପ ଧଳ, ଗୋଲକ ଚନ୍ଦ୍ର ମାଝୀ, ପ୍ରତାପ ଧଳ, ଦିଲ୍ଲୀପ ଧଳଙ୍କ ସମେତ ସମସ୍ତ କର୍ମକର୍ତା ଓ ଶିକ୍ଷାବିତ ବୃନ୍ଦାବନ ସାହୁ, ଅଭୟ ମହାପାତ୍ର, ଶଶିଭୂଷଣ ପାଳ, ହୃଦାନନ୍ଦ ସାମଲ ପ୍ରମୁଖ ଶବାଧାରରେ ଯୋଗଦେଇଥିଲେ।