ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ନଗର ବିଜେପି ର ୨୦ କର୍ମକର୍ତ୍ତା ଗତ ସୋମବାର ଦିନ ବିଜେପି ରାଜ୍ୟ ସଭାପତି ଙ୍କ ଉଦ୍ଦେଶ୍ୟ ରେ ଦିଆଯାଇଥିବା ସମୂହ ଇସ୍ତଫା ପତ୍ରକୁ ମିଥ୍ୟା ପ୍ରମାଣିତ କରିଛି ବିଜେପି। ଏନେଇ ମଙ୍ଗଳବାର ସନ୍ଧ୍ୟା ରେ ବାଲିମେଳା ରେ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଜେପି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମଲ ସୁନାନୀ, ଜିଲ୍ଲା ଉପ ସଭାପତି ସୁବାସ ପଡ଼ିଆମୀ, ଜିଲ୍ଲା ସାଧାରଣ ସମ୍ପାଦକ ମାଣିକ ଲାଲ ଚକ୍ରବର୍ତ୍ତୀ, ଜିଲ୍ଲା ସାଧାରଣ ସମ୍ପାଦକ ଅକ୍ଷୟ ବିଶ୍ୱାଳ, ପୂର୍ବତନ ଜିଲ୍ଲା ସଭାପତି ଅଶୋକ ପରିଡା, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ବିସ୍ତାରକ ଗଣେଶ ମଣ୍ଡଳ, ମାଲକାନଗିରି ନିର୍ବାଚନ ମଣ୍ଡଳୀ ବିସ୍ତାରକ ଯଜ୍ଞସେନ ସାମଲ, ପୂର୍ବତନ ବାଲିମେଳା ନଗର ସଭାପତି ଶୁଭାଶିଷ କର ଓ ପ୍ରଦୀପ ନାୟକ, ବାଲିମେଳା ଏନଏସି କାଉନସିଲର ମନୋଜଦେବ ପାଙ୍ଗି, ସଂଖ୍ୟା ଲଘୁ ଜିଲ୍ଲା ସଭାପତି ଜେ ଦିଲ୍ଲୀପ, ନଗର ସଭାପତି ଶିବଦତ୍ତ ସାହୁ ଙ୍କ ସମେତ ଅନ୍ୟ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ। ତେବେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଘଟଣା ର ସତ୍ୟାସତ୍ୟ ବିସ୍ତୃତ ଭାବେ ଦର୍ଶାଇଛି ବିଜେପି। ସୂଚନା ଥାଉ କି ଗତ ସୋମବାର ଦିନ ବାଲିମେଳା ନଗର ବିଜେପି ର ୨୦ ଜଣ କର୍ମକର୍ତ୍ତା ଦଳରୁ ସମୂହ ଇସ୍ତଫା ଦେଇଥିବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ହୋଇଥିଲା। ଏହାପରେ ଜିଲ୍ଲା ବିଜେପି ସଭାପତି ନିମାଇଁ ପାଲ ଙ୍କ ନିର୍ଦ୍ଦେଶକ୍ରମେ ବାଲିମେଳା ବିଜେପି ର ନଗର ସଭାପତି ଙ୍କ ସମେତ ଅନ୍ୟ କର୍ମୀ ମାନେ ମିଳିତ ଭାବେ ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲେ। ଏଥିସହ ଇସ୍ତଫା ପତ୍ର ରେ ଦସ୍ତଖତ କରିଥିବା ଏବଂ ନାମ ଉଲ୍ଲେଖ ଥିବା କର୍ମକର୍ତ୍ତା ମାନଙ୍କୁ ଏହି ଟିମ ବ୍ୟକ୍ତିଗତ ଭାବେ ସେମାନଙ୍କ ନିକଟକୁ ଯାଇ ଘଟଣା ର ସତ୍ୟତା ସମ୍ପର୍କରେ ପଚାରି ବୁଝିଥିଲେ। ଅନୁସନ୍ଧାନ ରୁ ମିଳିଥିବା ଏହି ଘଟଣା ର ସମସ୍ତ ସତ୍ୟାସତ୍ୟ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବିଜେପିର ନେତୃ ମଣ୍ଡଳୀ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ଖାଲି ଏତିକି ନୁହେଁ ଇସ୍ତଫା ପତ୍ରରେ ଦସ୍ତଖତ ଓ ନାମ ଥିବା କର୍ମକର୍ତ୍ତା ମାନଙ୍କ ମଧ୍ୟରୁ ରଞ୍ଜିତ ବେହେରା, ବଳରାମ ସ୍ୱାଇଁ, କୁନୁ ପାଙ୍ଗି, ଉତ୍କଳ ଚନ୍ଦ୍ର ମୁଦୁଲି, ସୋନୁ ନାଗ, ସୁରେନ୍ଦ୍ର ସୋଡି, ଆଶୁ କଲଞ୍ଜିଆ ଓ ସୁଦର୍ଶନ ଡାକୁଆ ପ୍ରମୁଖ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ବିଜେପି ର ସାମ୍ବାଦିକ ସମ୍ମିଳନୀରେ ସ୍ବଇଚ୍ଛା ରେ ଉପସ୍ଥିତ ରହି ସେମାନେ ଏହି ଇସ୍ତଫା ଦେବା ଘଟଣା ସମ୍ପର୍କରେ ଜାଣି ନଥିବା ଓ ତାଙ୍କ ନାମରେ କେହି ମିଥ୍ୟା ଦସ୍ତଖତ କରିଥିବା ସମ୍ପର୍କରେ ଅଭିଯୋଗ ଆଣି ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମୁଖରେ ମତବ୍ୟକ୍ତ କରିଥିଲେ। ବାଲିମେଳା ନଗର ବିଜେପି ର ଅଭିଯୋଗ ଅନୁଯାୟୀ ଇସ୍ତଫା ପତ୍ରରେ ନକଲି ଦସ୍ତଖତ ହୋଇଥିବା ୧୦ ଜଣ କର୍ମକର୍ତ୍ତା ଙ୍କୁ ବାଦ ଦେଲେ ଅନ୍ୟ ୧୦ ଜଣଙ୍କ ମଧ୍ୟରୁ ବିଜୟ କ୍ରିଷ୍ଣା ଦାସ, ଚିତ୍ରସେନ ସ୍ୱାଇଁ, ସୀମାଞ୍ଚଳ ପ୍ରଧାନ, ତ୍ରିନାଥ ସାହୁ ଏବଂ ପୂର୍ଣ୍ଣଚନ୍ଦ୍ର ଚାଲାଣ କେବଳ ଏହି ୫ ଜଣ ବିଜେପି ର କର୍ମକର୍ତ୍ତା ଥିଲେ। ଅବଶିଷ୍ଠ କର୍ମକର୍ତ୍ତା ମାନେ କେବେ ବି ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିନଥିବା ବିଜେପି ସୂଚନା ଦେଇଛି। ବିଡମ୍ବନା ର ବିଷୟ ଅବଶିଷ୍ଠ ୫ ଜଣଙ୍କ ମଧ୍ୟରୁ କିଛି କର୍ମକର୍ତ୍ତା ଅନ୍ୟ ଦଳର କାର୍ଯ୍ୟକର୍ତା ଥାଇ ବିଜେପି ରୁ କିପରି ଇସ୍ତଫା ଦେଲେ ଏହା ଏକ ହାସ୍ୟାସ୍ପଦ କଥା ବୋଲି ବିଜେପି କହିଛି। ସୂଚନା ଥାଉ କି ୪ ମାସ ପୂର୍ବେ କୌଣସି କାରଣରୁ ସୀମାଞ୍ଚଳ ପ୍ରଧାନ ଦାୟିତ୍ୱ ରେ ଥିବା ପଦବୀ ରୁ ଏକ ଇସ୍ତଫା ପତ୍ର ଜିଲ୍ଲା ସଭାପତି ଙ୍କୁ ପ୍ରଦାନ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ନକଲି ଦସ୍ତଖତ ହୋଇଥିବା କର୍ମକର୍ତ୍ତା ମାନଙ୍କ ବୟାନ ଏବଂ ଉପରୋକ୍ତ ସମସ୍ତ ଘଟଣା ର ସତ୍ୟାସତ୍ୟ ପଦା କୁ ଆସିବା ପରେ ଏହି ଘଟଣା କୁ ବିଜେପି ର ନେତୃ ମଣ୍ଡଳୀ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏଥିସହ ଦଳ କୁ ବଦନାମ କରିବା ପାଇଁ କିଛି ଙ୍କ ପକ୍ଷରୁ କୁଚକ୍ରାନ୍ତ କରାଯାଇଥିବା ଦଳ ଅଭିଯୋଗ ଆଣିଛି। ମୁଖ୍ୟତଃ ରାଜ୍ୟ ସଭାପତି ଙ୍କ ଉଦ୍ଦେଶ୍ୟ ରେ ଦିଆଯାଇଥିବା ଇସ୍ତଫା ପତ୍ର ହୋଇଥିବା ନକଲି ଦସ୍ତଖତ ର ସତ୍ୟତା ରାଜ୍ୟ ଓ ଜିଲ୍ଲାବାସୀ ଜାଣିବା ପାଇଁ ଏହାକୁ ଫୋରେନସିକ ଲ୍ୟାବ ପଠାଇ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଏଭଳି ବେଆଇନ କାର୍ଯ୍ୟ ରେ ଲିପ୍ତ ଥିବା ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସଭାପତି ଙ୍କୁ ଜିଲ୍ଲା ପକ୍ଷରୁ ନିବେଦନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱରେ ଦେଶବାସୀ ଙ୍କ ନିମନ୍ତେ ହେଉଥିବା ଜନହିତକର କାର୍ଯ୍ୟ ପାଇଁ ଦେଶ ର ବିଭିନ୍ନ ପ୍ରାନ୍ତ ର ପ୍ରତିଦିନ ବହୁ ଲୋକ ବିଜେପି ଯୋଗ ଦେଉଛନ୍ତି। ଜାତୀୟ ସ୍ତରରେ ମଧ୍ୟ ଲୋକଙ୍କ ଲୋକପ୍ରିୟତା ରହିଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଯଦି ଜଣେ ଦୁଇ ଜଣ ନିଜ ସ୍ୱାର୍ଥ ପାଇଁ ଦଳ ଛାଡିବେ ତେବେ ଏହାର କୌଣସି ପ୍ରଭାବ ଦଳରେ ଆଦୋୖ ପଡିବ ନାହିଁ ବୋଲି ବାଲିମେଳା ନଗର ସଭାପତି ଶିବଦତ୍ତ ସାହୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।