
ଭୁବନେଶ୍ୱର, 9 ଏପ୍ରିଲ – ଅନୁଗୁଳ ବିଜେଡିରେ ବଢ଼ିଲା ଅଡୁଆ । ତେଜିଲା ଅନୁଗୁଳ ଟିକେଟ କଳି । ଅନୁଗୁଳ ଟିକେଟ ଘୋଷଣାରେ ବିଳମ୍ବକୁ ନେଇ ତାତିଛନ୍ତି ରଜନୀକାନ୍ତ ସିଂଙ୍କ ସମର୍ଥକ । ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂ ସରକାରୀ ବାସଭବନରେ ସମର୍ଥକଙ୍କ ମେଳି ଦେଖିବାକୁ ମିଳିଛି । ତୁରନ୍ତ ଟିକେଟ ଘୋଷଣା କରିବାକୁ ସମର୍ଥକମାନେ ଦାବି କରିଛନ୍ତି । ଯଦି ରଜନୀକାନ୍ତଙ୍କ ଟିକେଟ କଟେ ତେବେ ବିଜେଡ଼ି ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ। ଆମେ ସ୍ୱାଧୀନ ଲଢିବାକୁ ପ୍ରସ୍ତୁତି କରିବୁ ବୋଲି ଦୃଢ଼ ସ୍ୱରରେ ସମର୍ଥକ ଶୀର୍ଷ ନେତୃତ୍ୱକୁ ଚେତାବନୀ ଦେଇଛନ୍ତି। ରଜନୀକାନ୍ତ ସିଂହଙ୍କୁ ଟିକେଟ ନ ମିଳିଲେ କାଉନସିଲର ମାନେ ସାମୁହିକ ଇସ୍ତଫା ଦେବେ ବୋଲି କହିଛନ୍ତି। ସେପଟେ ଅନୁଗୁଳ ବିଧାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଟିକେଟ ଘୋଷଣାରେ ବିଳମ୍ବ ହେଉଥିବାରୁ ସମର୍ଥକଙ୍କ ମନରେ ଆଶଙ୍କା ଦେଖା ଦେଇଛି। ବିଜେପି ଟିକେଟ ଘୋଷଣା କରିସାରିଥିବାରୁ ଆମ କର୍ମୀଙ୍କୁ ସେମାନେ ଟାହି ଟାପରା କରୁଛନ୍ତି। ଆଶା ଖୁବ୍ ଶୀଘ୍ର ଟିକେଟ ଘୋଷଣା ହେବ।