ନୂଆପଡ଼ା :- ଭଲ ପାଇ ବାହା ହେଲେ ବୋଲି ପର କରିଦେଲେ ପରିବାର ଲୋକେ । ଯାହାକୁ ଭଲ ପାଇ ସମସ୍ତଙ୍କୁ ଛାଡି ଦେଇଥିଲେ ସେ କିନ୍ତୁ ଅଧା ବାଟରେ ଛାଡି ସବୁଦିନ ପାଇଁ ଚାଲିଗଲା । ଏଡେ ବଡ ସଂସାରରେ ଆହା କରିବାକୁ କେହି ନାହିଁ । ଚାରି ବର୍ଷର କଅଁଳ ଶିଶୁକୁ ନେଇ ବାକି ଜୀବନ କାଟିବେ କେମିତି, ଏଭଳି ଦୁଃଖରେ ଜୀବନ ବିତାଉଛନ୍ତି ଘରଧରା ଗ୍ରାମର ଜଣେ ମହିଳା । ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ୱର ଗ୍ରାମ ପଂଚାୟତର ଘରଧରା ଗ୍ରାମ । ଗ୍ରାମର ରେମତି ଶବରଙ୍କ ମୁଣ୍ଡରେ ଏବେ ଦୁଃଖର ପାହାଡ । ମାସେ ତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ଏଡେ ବଡ ଦୁନିଆରେ ସେ ଏକାକୀ ହୋଇ ଯାଇଛନ୍ତି । ଚାରି ବର୍ଷର ପୁଅ ରବି ମୁହଁ ଚାହିଁ ଛାତିକୁ ପଥର କରି ବାକି ଜୀବନ କାଟିବାକୁ ତାଙ୍କୁ ପଡ଼ିବ । ରେମତିଙ୍କ ମାଆ ଘର ହେଉଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଡୁମେରମୁଡ଼ା । ଛଅ ବର୍ଷ ତଳେ ଗାଆଁର କିଛି ଲୋକଙ୍କ ସହ ହାଇଦ୍ରାବାଦ ଯାଇଥିଲେ ଇଟା ଗଢ଼ିବା ପାଇଁ । ସେଠାରେ କାମ କରୁଥିବା ବେଳେ ଘରଧରା ଗ୍ରାମର ଗୌରାଙ୍ଗ ଶବରଙ୍କ ସହ ଭାବ ଜମିଥିଲା । ପରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ଜୀବନ ସାଥି କରିବାକୁ ଚାହିଁଲେ । ରେମତି ଗୌରାଙ୍ଗଙ୍କ ସହ ଘରଧରାକୁ ଚାଲି ଆସନ୍ତି । ବୁଝାସୁଝା ପରେ ଶାଶୁ ଘର ଲୋକେ ସିନା ଗ୍ରହଣ କରି ନିଅନ୍ତି କିନ୍ତୁ ବାପା ମାଆ ସବୁଦିନ ପାଇଁ ପର କରି ଦିଅନ୍ତି କାରଣ ରେମତି ଓ ଗୌରାଙ୍ଗଙ୍କ ଜାତି ଭିନ୍ନ ବୋଲି । ସ୍ୱାମୀଙ୍କ ସ୍ନେହ ପ୍ରେମରେ ସୁଖର ନୀଡ଼ ଗଢ଼ୁଥିବା ରେମତିଙ୍କ ଖୁସି ଆହୁରି ବଢ଼ିଯାଏ । ଯେତେବଳେ ଦୁଇ ବର୍ଷ ପରେ ନୂଆଁ କୁଣିଆ ରବି ତାଙ୍କ କୋଳକୁ ଆସେ । ବାସ ଏହାପରେ ଯେମିତି ଦୁଃଖ ଆସିବାର ସମୟ । ରବି ଜନ୍ମର ଗୋଟିଏ ବର୍ଷ ପରେ ଗୌରାଙ୍ଗ ବେମାରରେ ପଡନ୍ତି । ନୂଆପଡ଼ା ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଏ । ଚିକିତ୍ସା କଲା ପରେ ତାଙ୍କୁ ଥାଇରଏଡ ସହ କିଡନୀ ଓ ହାର୍ଟ ସମସ୍ୟା ଥିବା ଡ଼ାକ୍ତର କହନ୍ତି । ସ୍ୱାମୀକୁ ଭଲ କରିବାକୁ ସେ ବିଭିନ୍ନ ଡାକ୍ତରଖାନା ନିଅନ୍ତି କିନ୍ତୁ ସ୍ୱାମୀ ଆଉ ଭଲ ହୁଅନ୍ତି ନାହିଁ ଓ ଶଯ୍ୟାଶାୟୀ ହୁଅନ୍ତି । କାମ କରିବାକୁ ସକ୍ଷମ ହୁଅନ୍ତି ନାହିଁ ଗୌରାଙ୍ଗ । ବାଧ୍ୟ ହୋଇ ରେମତି ପୁଅକୁ ଧରି ଆନ୍ଧ୍ରପ୍ରଦେଶ ଦାଦନ ଯାଆନ୍ତି ଓ ସ୍ୱାମୀଙ୍କ ଚିକିତ୍ସା ପାଇଁ ଟଙ୍କା ପଠାନ୍ତି । ତାଙ୍କ ଭାଗ୍ୟରେ ବୋଧହୁଏ ସୁଖ ଲେଖା ନଥାଏ । ସେଥିପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱାମୀର ଜୀବନ ବଂଚାଇବା ସମ୍ଭବ ହୁଏ ନାହିଁ । ମାସକ ତଳେ ସ୍ତ୍ରୀ ଓ ପୁଅକୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲି ଯାଆନ୍ତି ଗୌରାଙ୍ଗ ଓ ସବୁଦିନ ପାଇଁ ଏକାକୀ ହୋଇ ଯାଇଛି ରେମତି । ଏତିକିରେ ରେମତିଙ୍କ ଦୁଃଖ ସରିନି । ଘର ଖଣ୍ଡେ ନଥିବାରୁ ଭଙ୍ଗା ଦଦରା ଘରେ ପଡ଼ି ରହିଛନ୍ତି । ଘର କେତେବଳେ ଭାଙ୍ଗିଯିବ କେହି କହି ପାରିବିନି । ଏମିତିକି ତାଙ୍କ ଘର ପାଖରେ ଆଉ ଘର ନଥିବାରୁ ସେ ରାତିରେ ଅନ୍ୟ ଘରକୁ ଶୋଇବାକୁ ଯାଆନ୍ତି । ରାସନ୍ କାର୍ଡ ମଧ୍ୟ ତାଙ୍କ ନାମରେ ନାହିଁ । ମାଆ ଘରେ ସେ ଆଧାର କାର୍ଡ କରିଥିଲେ, ସେଇଟା ହଜିଗଲା ପରେ ମୋବାଇଲ୍ ଲିଙ୍କ ନଥିବାରୁ ଆଉ ଥରେ ବାହାର କରି ହେଉନି । ଭୋଟର ପରିଚୟ ପତ୍ର ମଧ୍ୟ ନାହିଁ । ଆଧାର ଓ ଭୋଟର ପରିଚୟ ପତ୍ର ନଥିବାରୁ କୌଣସି ସରକାରୀ ସୁବିଧା ମିଳିବା ନେଇ ଆଶଙ୍କା ଦେଖା ଦେଇଛି । ଏପରିକି ପରିବାର ମଙ୍ଗଳ ଯୋଜନା ଓ ବିଧବା ଭତା ପାଇବେ କିପରି ପାଇବେ ସେ ଚିନ୍ତାରେ ଅଛନ୍ତି । ଏବେ ପର ଘରେ ମୂଲ ଲାଗିଲେ ପେଟକୁ ଦାନା ଗଣ୍ଡେ ମିଳୁଛି । କେବେ କେବେ କାମ ମିଳେନାହିଁ କିବା ଦେହ ଅସୁସ୍ଥ ହେଲେ ଯେଉଁଦିନ କାମ କରିବାକୁ ଯାଇ ପାରନ୍ତି ନାହିଁ ସେଦିନ ଭୋକରେ ରହିବାକୁ ପଡେ ବୋଲି ସେ କହନ୍ତି । ନିଜ ଭାଗ୍ୟ ତାଙ୍କୁ ଯେମିତି ତାଙ୍କୁ ସବୁଦିନ ଉପହାସ କରୁଛି । ଏହି ମାଆ ପୁଅଙ୍କ ସମସ୍ୟା ନେଇ ଆମେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଅତିଶିଘ୍ର ତାଙ୍କର ଭତା ବ୍ୟବସ୍ଥା ସହ ଅନ୍ୟାନ୍ୟ ସହଯୋଗ କରିବେ ବୋଲି କହିଥିଲେ ।