ବଲାଙ୍ଗିର, ୧୨ ଅଗଷ୍ଟ – ପୁଣି ଚର୍ଚ୍ଚାରେ ବଲାଙ୍ଗିର ରାଜ ପରିବାର। ରାଜନୀତି ନୁହେଁ ବୋହୂ ନିର୍ଯାତନା ମାମଲା ନେଇ ଏବେ ଚର୍ଚ୍ଚାରେ। ରାଜ ପରିବାରରେ ବୋହୂ ନିର୍ଯାତନା କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଦୀର୍ଘ ଦିନରୁ ବୈବାହିକ ଜୀବନରେ ବିବାଦ ଲାଗି ରହିଥିବା ଅଦ୍ରୀଜା- ଅର୍କେଶ କଳି ମାମଲା ଏବେ ବଲାଙ୍ଗିର ଥାନାରେ ପହଁଞ୍ଚିଛି। ଆଜି ବଲାଙ୍ଗିର ଟାଉନ୍ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଦ୍ରୀଜା। ଏହା ପୂର୍ବରୁ ସେ ଡ଼େରାଡ଼ୁନ୍ ରାଜପୁର ଥାନାରେ ଏତଲା ଦେଇଥିଲେ। ଖୋଦ୍ ସାନ ବୋହୂ ବଲାଙ୍ଗିର ରାଜ ପରିବାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଶ୍ଵଶୁର ଘର ଲୋକେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛିନ୍ତି ଅଦ୍ରୀଜା ସିଂହଦେଓ। ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଅଦ୍ରୀଜା ସିଂହଦେଓ ଏବେ ଶ୍ବଶୁର ଘର ଲୋକଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁସାରେ, ୨୦୧୭ ମସିହା ନଭେମ୍ବର ମାସରେ ଅର୍କେଶ ସିଂହଦେଓ ଅଦ୍ରୀଜାଙ୍କୁ ବିବାହ କରିଥିଲେ, ହେଲେ ବିବାହ ପର ଠାରୁ ତାଙ୍କୁ ଶ୍ବଶୁର ଘର ଲୋକେ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଏପରିକି ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ପୋଲିସର ଦ୍ଵାରସ୍ଥ ହୋଇଛନ୍ତି ଅଦ୍ରୀଜା ସିଂହଦେଓ। ସୁରକ୍ଷା ଦେବା ପାଇଁ ସେ ଉତ୍ତରାଖଣ୍ଡ ଡିଜିପିଙ୍କ ନିକଟରେ ଗୁହାରି ବି କରିଥିଲେ। ଅଦ୍ରୀଜା ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ଵନାଥ ପ୍ରତାପ ସିଂହଙ୍କ ନାତୁଣୀ ହୋଇଥିବା ବେଳେ ଅର୍କେଶ ନାରାୟଣ ସିଂହଦେଓ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବଲାଙ୍ଗିର ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନାତି।
ତେବେ ବୈବାହିକ ଜୀବନରେ ଜୁଆର ଉଠିବା ପରେ ଏବେ ଅଡୁଆରେ ଅର୍କେଶ ସିଂହଦେଓ। ବଲାଙ୍ଗିର ରାଜନୀତିରେ ସକ୍ରିୟ ରହିଥିବା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶ ସିଂହଦେଓଙ୍କ ଗତ ୮ ମାସରୁ ଅଧିକ ସମୟ ହେଲା କୌଣସି ଠାରେ ଦେଖା ଦର୍ଶନ ନାହିଁ। ପାରିବାରିକ ବିବାଦ ଯୋଗୁଁ ବଲାଙ୍ଗିରରୁ ଉଭାନ ହୋଇଯାଇଛନ୍ତି ଅର୍କେଶ। ପାରିବାରିକ ବିବାଦ ଯୋଗୁଁ ବଲାଙ୍ଗିର ରାଜନୀତିରୁ ଟିକେ ଦୂରେଇ ଯାଇଛନ୍ତି ଅର୍କେଶ, ହେଲେ ତାଙ୍କ ସ୍ତ୍ରୀ ଅଦ୍ରୀଜା ନିର୍ଯାତନା ଅଭିଯୋଗ ଆଣିବା ପରେ ପୁଣି ଚର୍ଚ୍ଚାରେ ବଲାଙ୍ଗିର ରାଜ ପରିବାର। ସେପଟେ ଏନେଇ ଅଦ୍ରୀଜା କିମ୍ବା ବଲାଙ୍ଗିର ରାଜ ପରିବାର ପକ୍ଷରୁ କାହାରି ପ୍ରତିକ୍ରିୟା ମିଳି ପାରିନାହିଁ।