ଭୁବନେଶ୍ୱର, 7 ସେପ୍ଟେମ୍ବର- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇପଡ଼ିଥିଲେ ସୁଦ୍ଧା ଏହା ସହ ଜଡିତ ଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ଆଜି (ଗୁରୁବାର) ବର୍ଷା ଲାଗିରହିଛି । ଭୁବନେଶ୍ୱର, କଟକ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଦେବଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା ଓ ଯାଜପୁରର କେତେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତାକାଲି ଅର୍ଥାତ୍ ୮ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପ୍ରଭାବ କମିବା ସମ୍ଭାବନା ଥିବାବେଳେ, ୧୨ ତାରିଖ ଠାରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ସଂପ୍ରତି ରାଜ୍ୟ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ ଘଂଟା ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ବରଗଡ଼, ମାଲକାନଗିରି,କୋରାପୁଟ,ରାୟଗଡା, ଗଜପତି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ଦେବଗଡ, ଅନୁଗୁଳ, କେନ୍ଦୁଝର ଓ ମୟୁରଭଂଜ ।