ସାଲେପୁର : ଶାରଦୀୟ ଦୁର୍ଗାପୂଜା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଦୁର୍ଗା ପୂଜା ମଣ୍ଡପ ଗୁଡିକ ଉତ୍ସବ ମୁଖର ହୋଇଉଠିଛି । ମା’ଙ୍କର ନବରାତ୍ର ଚାଲିଥିଲା ବେଳେ ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଳ ମଲ୍ଲୀପୁର ଜୟଦୁର୍ଗା ପୂଜା କମିଟି ତରଫରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇଛି । ମଲ୍ଲୀପୁର ଦୁର୍ଗାପୂଜା କମିଟିର ସଭାପତି ଶିବପ୍ରସାଦ ଦାସଙ୍କ ସଂଯୋଜନାରେ ଆସନ୍ତା ୨୦ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ମା’ ଦଶଭୂଜା ଦୁର୍ଗାଙ୍କର ଏକାଦଶ ବାର୍ଷିକ ଦୁର୍ଗାପୂଜା ମହାଆଡମ୍ବରରେ ପୂଜା ହେବା ସହ ପୂଜା ମଣ୍ଡପରେ ଆକର୍ଷଣୀୟ ସାଜସଜ୍ଜା ଆଲୋକୀକରଣ ପାଇଁ ପୂଜା କମିଟିର କର୍ମକର୍ତ୍ତା ମାନେ ଲାଗିପଡିଛନ୍ତି ।
କେଣ୍ଟାଳ ସରପଂଚ ତୃପ୍ତିମୟୀ ନାୟକ, ରଘୁନାଥଜୀଉ ମନ୍ଦିର ଟ୍ରଷ୍ଟୀ ପ୍ରକାଶ ଚନ୍ଦ୍ର ସାହୁ, ସମିତିସଭ୍ୟ ଇମ୍ରାନ ଖାନ୍, ପୂର୍ବତନ ସରପଂଚ ଅନ୍ନଦାପ୍ରସାଦ ନାୟକ, ପୂଜାକମିଟିର କର୍ମକର୍ତ୍ତା ପୁରୁଷୋତ୍ତମ ଦାସ, ପ୍ରସନ୍ନ କୁମାର ଦାସ, ଶେଖର କୁମାର ଘୋଷ, ସନ୍ତୋଷ କୁମାର ସିହ୍ନା, ମନୋଜ କୁମାର ଦାସ, ଅଜିତ୍ କୁମାର ନାୟକ, ଭାସ୍କର ନାୟକ, ସୁଜିତ୍ ସିହ୍ନା, ଧରଣୀଧର ବେହେରା ଓ ଗ୍ରାମବାସୀମାନେ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ବିଭିନ୍ନ ଅଞ୍ଚଳରୁ ଆସୁଥିବା ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳାର ସହ ମା’ଙ୍କୁ ଦର୍ଶନ କରିବା ସହ ମାନସିକ ଭୋଗଲାଗି, ମାନସିକ ବାଣ ଫୁଟାଇବେ ସେଥିପାଇଁ କର୍ମକର୍ତ୍ତାମାନେ ସତର୍କତାର ସହ ପ୍ରସ୍ତୁତ ରହିଛନ୍ତି । ସପ୍ତମୀ ଠାରୁ ଭସାଣୀ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟ କରିବାକୁ ପୂଜାକମିଟିର କର୍ମକର୍ତ୍ତା ଗ୍ରାମବାସୀମାନେ ସହଯୋଗ କରୁଛନ୍ତି ।