ଭୁବନେଶ୍ୱର, ୦୧ ଅକ୍ଟୋବର – ଗତକାଲି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆବର୍ଗ କଲ୍ୟାଣ ଓ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରକାଶ କରିଛନ୍ତି ଯେ, ପଛୁଆବର୍ଗ ସର୍ଭେକ୍ଷଣ ରିପୋର୍ଟ ପ୍ରକାଶ ହେଲାପରେ ପଛୁଆବର୍ଗଙ୍କୁ ୨୭ ଭାଗ ସଂରକ୍ଷଣ ନେଇ ସରକାର ବିଚାର କରିବେ । ଏଠାରେ ଉଲ୍ଲେଖଥାଉକି, ରାଜ୍ୟ ସରକାର ପଛୁଆବର୍ଗ ଜନଗଣନା କରିବା ପାଇଁ ରାଜ୍ୟ ପଛୁଆବର୍ଗ କମିଶନଙ୍କୁ ଦାୟିତ୍ୱ ଦେଇଥିଲେ । କମିଶନ ଗତ ମଇ ୧ ତାରିଖରୁ ଜୁଲାଇ ୨୫ ତାରିଖ ମଧ୍ୟରେ ରାଜ୍ୟରେ ପଛୁଆବର୍ଗ ସଂରକ୍ଷଣ ଶେଷ କରିଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ମାନ୍ୟବର କମିଶନଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେଇ ସର୍ବେକ୍ଷଣ ରିପୋର୍ଟ ପ୍ରକାଶ କରିବାକୁ ସମାଜବାଦୀ ପାର୍ଟି ସମେତ ଅନ୍ୟାନ୍ୟ ସାମାଜିକ ନ୍ୟାୟଗୋଷ୍ଠୀ ଦାବି କରି ଆସୁଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ମାନ୍ୟବର କମିଶନ ସର୍ବେକ୍ଷଣ ରିପୋର୍ଟ ପ୍ରଦାନ କରିନାହାନ୍ତି । ରାଜ୍ୟ ସରକାରଙ୍କର ଅନୁମତି ନ ମିଳିବା ପର୍ଯ୍ୟନ୍ତ ମାନ୍ୟବର କମିଶନ ଏହି ସର୍ବେକ୍ଷଣ ରିପୋର୍ଟ ପରିପ୍ରକାଶ କରିପାରିବେ ନାହିଁ । ତେଣୁ ତୁରନ୍ତ ରାଜ୍ୟ ପଛୁଆବର୍ଗ କମିଶନଙ୍କୁ ଓବିସି ସଂରକ୍ଷଣ ରିପୋର୍ଟ ପ୍ରକାଶ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦାବି କରି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ଏକ ପତ୍ର ଲେଖାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଦ୍ୱାରା ଲିଖିତ ଏହି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପଛୁଆବର୍ଗ କମିଶନ ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ନ କରିବା ଫଳରେ ରାଜ୍ୟର ୫୪ଭାଗ ଓବିସି ବର୍ଗ ସେମାନଙ୍କର ସାମ୍ବିଧାନିକ ଅଧିକାର ୨୭ଭାଗ ସ୍ଥାନ ସଂରକ୍ଷଣ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ହରାଇ ବସିଛନ୍ତି । ରାଜ୍ୟ ସରକାର ଓବିସି ସଂରକ୍ଷଣକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି । ଫଳରେ ପ୍ରତିବର୍ଷ ରାଜ୍ୟର ପଛୁଆବର୍ଗର ହଜାର ହଜାର ଛାତ୍ରଛାତ୍ରୀ ବିଭିନ୍ନ ବିଶ୍ୱିବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ଥାନ ହରାଇବା ସହିତ ରାଜ୍ୟର ପଛୁଆବର୍ଗର ଛାତ୍ରଛାତ୍ରୀମାନେ ହାରାହାରି ୫୦୦ ମେଡିକାଲ୍ ସିଟ୍ ଓ ୨୦ ହଜାରରୁ ଊର୍ଦ୍ଧ୍ୱ ଇଂଜିନିୟରିଂ ସିଟ୍ରେ ନାମଲେଖାରୁ ବଂଚିତ ହେଉଛନ୍ତି । ସେହିଭଳି ସରକାରୀ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ବଦଳରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବା ଯୋଗୁଁ ଏହି ବର୍ଗର ନିଯୁକ୍ତି ଅପେକ୍ଷାରତ ବହୁ ଆଶାୟୀ ଯୁବକ ଯୁବତୀମାନେ ରାଜ୍ୟ ସରକାରଙ୍କର ଚାକିରୀ ସୁଯୋଗରୁ ବଂଚିତ ହେଉଛନ୍ତି । କେବଳ ସେତିକି ନୁହେଁ ଗତ ପଂଚାୟତ ନିର୍ବାଚନରେ ମଧ୍ୟ ଏହି ଜନଗଣନା ହୋଇନଥିବା ଯୋଗୁଁ ଓବିସି ବର୍ଗର ପ୍ରାର୍ଥୀମାନେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ୧୯୯୭ ମସିହାରୁ ପାଇଆସୁଥିବା ୨୭ଭାଗ ସଂରକ୍ଷଣରୁ ମଧ୍ୟ ବଂଚିତ ହେଲେ । ଇ.ଡବ୍ଲ୍ୟୁ.ଏସ୍. ସଂରକ୍ଷଣ ଲାଗୁ କରିବା କ୍ଷେତ୍ରରେ ରାଜ୍ୟ ସରକାର ସାଧାରଣ ଜନଗଣନାକୁ ଗୁରୁତ୍ୱ ନ ଦେଇଥିଲା ବେଳେ ଓ ଆଇନ୍ ଅଦାଲତମାନେ ୫୦ ଭାଗ ସଂରକ୍ଷଣ ସୀମାକୁ ପାର୍ କରିଥିଲା ବେଳେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବାରେ ପଛୁଆବର୍ଗ ଜନଗଣନାକୁ ରାଜ୍ୟ ସରକାର ଗୁରୁତ୍ୱ ଦେବା ବୋଲି ଖୋଦ୍ ପଛୁଆବର୍ଗ କଲ୍ୟାଣ ଓ ଆଇନ୍ ମନ୍ତ୍ରୀ ବିଧାନସଭାରେ ପ୍ରକାଶ କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ବେହେରା ମତପ୍ରକାଶ କରିଛନ୍ତି । ସରକାର ଆଉ ବିଳମ୍ବ ନ କରି ଓବିସି ବର୍ଗଙ୍କ ପାଇଁ ରାଜ୍ୟରେ ଶିକ୍ଷା, ନିଯୁକ୍ତି ଓ କଲ୍ୟାଣକାରୀ ଯୋଜନା କ୍ଷେତ୍ରରେ ୨୭ ଭାଗ ସ୍ଥାନ ସଂରକ୍ଷଣକୁ କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟ ପଛୁଆବର୍ଗ କମିଶନଙ୍କୁ ଏ ଦିଗରେ ସର୍ବେକ୍ଷଣ ରିପୋର୍ଟ ପ୍ରକାଶ କରିବା ପାଇଁ ଶ୍ରୀ ବେହେରା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।