ଗଞ୍ଜାମ : ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ତିନି ଦିନିଆ ଗଞ୍ଜାମ ଗସ୍ତର ଆଜି ଦ୍ଵିତୀୟ ଦିନରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ପୋଲସରାରେ ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଛି । ବିଜେପି କର୍ମୀମାନେ ସଭା ସ୍ଥଳକୁ ଧଶେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ବିଜେଡ଼ି ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ପୋଲିସ ସେମାନଙ୍କୁ ଏଥିରୁ ନିବୃତ କରିବାକୁ ଚେଷ୍ଟା କରିବା ବେଳେ ପୋଲିସ ସହ ମଧ୍ୟ ଧସ୍ତାଧସ୍ତି ହୋଇଥିଲା ।
ସେହିପରି ଆଜି ପୂର୍ବାହ୍ନରେ ଭଞ୍ଜନଗରର ଚକରା ବିଶୋଇ ଛକରେ ବିଜେପି କର୍ମୀ ମାନେ ମୁହଁରେ କଳା ପଟି ବାନ୍ଧି ନିରବ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫାଇଭ୍-ଟି ସଚିବଙ୍କ ଗସ୍ତ ପୂର୍ବରୁ ନବନିର୍ମାଣ କୃଷକ ସଂଘ ଗଞ୍ଜାମ ଜିଲ୍ଲା ଉପସଭାପତି ପଦ୍ମଚରଣ ପ୍ରଧାନଙ୍କୁ ପୋଲିସ ଉଠାଇ ନେଇଛି।
ଅନୁରୂପ ଭାବେ ସୋରଡ଼ାରେ ବିଜେପି କର୍ମୀମାନେ ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ କରି କଳାପତାକା ପ୍ରଦର୍ଶନ କରିଥିଲେ । ସେହିପରି ଖଲ୍ଲିକୋଟ ଓ ଆସିକାରେ ମଧ୍ୟ ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଛି । ଏହା ବ୍ୟତୀତ ଖଲ୍ଲିକୋଟରେ ମଧ୍ୟ କଂଗ୍ରେସ ପକ୍ଷରୁ କଳାପତାକା ଦେଖାଇବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।