ପୁରୀ : ଟି.ପି.ସି.ଓ.ଡି.ଏଲ. ବିଦ୍ୟୁତ୍ ବିଭାଗରେ ବିଭିନ୍ନ ଏଜେନ୍ସୀ ମାଧ୍ୟମରେ କାର୍ଯ୍ୟ କରୁଥିବା ମିଟର ରିଡର୍, ବିଲ କଲେକ୍ଟର, ଲାଇନ ମ୍ୟାନ, ହେଲପର, ଗ୍ରାହକ ସେବାକେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ, ମିଟର ବସାଇବା କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଓଡ଼ିଶା ଶ୍ରମ ଆଇନ ଅନୁଯାୟୀ ଦରମା ପ୍ରଦାନ ଓ ଇପିଏଫ ଡିପୋଜିଟରେ ଅସମାନତା ଦୂର କରିବା, ବକେୟା ତେଲ ଟଙ୍କା ପ୍ରଦାନ ଓ ଏହି କର୍ମଚାରୀ ମାନଙ୍କ ସାମାଜିକ ସୁରକ୍ଷା ବିଷୟ ଆଦି ଦାବି ନେଇ ଦିଆଯାଇଥିବା ନୋଟିସ ଅନୁଯାୟୀ ଆଜି ପୁରୀ ବିଦ୍ୟୁତ୍ ବିଭାଗ ଅଫିସ ସମ୍ମୁଖରେ ସଂଘ ତରଫରୁ ଧାରଣା ଦିଆଯାଇଥିଲା । ବରିଷ୍ଠ ଶ୍ରମିକ ନେତା ତଥା ସଂଘର ସଭାପତି ଶ୍ରୀକାନ୍ତ ପରିଜା, ଭୀମସେନ ସ୍ଵାଇଁ, ଷ୍ଟାଲିନ ପାଇକରାୟ, ପବିତ୍ର ମୋହନ ଦଳେଇଙ୍କ ନେତୃତ୍ଵରେ ଆନ୍ଦୋଳନ କରାଯାଇଥିଲା। ଆନ୍ଦୋଳନ ଚାଲିଥିବା ସମୟରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସୁସମ୍ବିତ୍ ସାହୁ ଓ ଡ଼ିଭିଜନ ମ୍ୟାନେଜର ସ୍ମୃତି ରଞ୍ଜନ ସ୍ଵାଇଁ ଆଲୋଚନା ପାଇଁ କର୍ମଚାରୀ ମାନଙ୍କୁ ନିମନ୍ତ୍ରଣ କରିଥିଲେ। ଏହାପରେ ଆଲୋଚନା କରାଯାଇଥିଲା। ଏଥିରେ ସୁସମ୍ବିତ୍ ସାହୁ ଓ ଡ଼ିଭିଜନ ମ୍ୟାନେଜର ସ୍ମୃତିରଞ୍ଜନ ସ୍ଵାଇଁ, ଭବାନୀ ମିଶ୍ର କର୍ମଚାରୀ ମାନଙ୍କ ତରଫରୁ ସଭାପତି ଶ୍ରୀକାନ୍ତ ପରିଜା, ସାଧାରଣ ସମ୍ପାଦକ ନୃସିଂହ ଚରଣ ଦାସ, କୋଷାଧ୍ୟକ୍ଷ ଶେଖ ଆଜାଦ, ଶରତ ଜେନା, ଶେଷଦେବ ରାୟ, କାର୍ତ୍ତିକ ନାୟକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଏହି ବୈଠକରେ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। କୁଶଳୀ ଦରମା ପ୍ରଦାନ ବିଷୟ ହେଡ ଅଫିସ ସହିତ ଆଲୋଚନା କରାଯାଇ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ। ଅନ୍ୟାନ୍ୟ ସମସ୍ୟା ଗୁଡ଼ିକ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବା ପାଇଁ ସମ୍ମତି ପ୍ରକାଶ ପାଇଛି। ଯଦି ଖୁବ ଶୀଘ୍ର ସମସ୍ୟା ସମାଧାନ କରାନଯାଏ ତେବେ ଜିଲ୍ଲାପାଳ ପୁରୀଙ୍କ ଅଫିସ ଘେରାଉ କରାଯିବା ସହିତ ଜେଲ ଭରୋ ଆନ୍ଦୋଳନ କରାଯିବ ବୋଲି ଶାନ୍ତନୁ ମିଶ୍ର, ଲୋକନାଥ ଗଡ଼ନାୟକ, ସୁଶାନ୍ତ ବେହେରା, ସୁନିଲ ରଥ, ପୁରୁଷୋତ୍ତମ ମିଶ୍ର, ଧର୍ମେନ୍ଦ୍ର କୁଅଁର, ମାନସ ବରାଳ, ମହେଶ୍ଵର ସାହୁ, ସୁଚିଶ୍ମିତା ପଣ୍ଡା, ତପତି ବେହେରା, କଦାର ମାଠ ଆଦି ସମସ୍ତ କର୍ମଚାରୀ ମାନେ କହିଥିଲେ।