ମାଲକାନଗିରି : ରାଜ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରରେ ଲେଖାହେବ ନୂଆ ଅଧ୍ୟାୟ । ଯୋଡି ହେବ ଗାଁରୁ ରାଜଧାନୀ । ଐତିହାସିକ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଥମିକ ପର୍ଯ୍ୟାୟରେ ମାଲକାନଗିରି ସମେତ ୪ଟି ଜିଲ୍ଲାରୁ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା । ମାଲକାନଗିରି ଜିଲ୍ଲାରୁ ଗଡ଼ିବ ୩୬ଟି ବସ୍ । ଲକ୍ଷ୍ମୀ ଯୋଜନା ଅଧୀନରେ ବ୍ଲକ ସଂଯୋଗୀକରଣ ଦ୍ବାରା ପଞ୍ଚାୟତରୁ ବ୍ଲକ, ଜିଲ୍ଲା ସଂଯୋଗୀକରଣ ଦ୍ବାରା ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ ।
ଆନ୍ତଃଜିଲ୍ଲା ଓ ଆନ୍ତଃକ୍ଲଷ୍ଟର ମଧ୍ୟରେ ଯୋଗାଯୋଗ ସୁବିଧା ଉପଲବ୍ଧ କରାଯିବ । ଯୋଜନାରେ ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦିଆଯାଇଛି । ଏସଏଚଜି ସଦସ୍ୟା ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହ କର୍ମକ୍ଷେତ୍ରରେ ନିରାପଦ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉଛି । ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା । ସରକାରଙ୍କ ଲକ୍ଷ୍ମୀ ଯୋଜନା ଆଜି ଆରମ୍ଭ ହେଉଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଜି ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏହି ବନ୍ଦ ପାଳନକୁ ମାଲକାନଗିରି ଘରୋଇ ବସ ମାଲିକ ସଂଘ ସମର୍ଥନ ଜଣାଇଛନ୍ତି। ଆଜି ମାଲକାନଗିରି ଜିଲ୍ଲା ମଧ୍ୟରେ ୨୪ ଘଣ୍ଟିଆ ଘରୋଇ ବସ୍ ଚଳାଚଳ ବନ୍ଦ ପାଳନ କରାଯାଇଛି। ଜିଲ୍ଲାର କୌଣସି ଘରୋଇ ବସ୍ ଚଳାଚଳ କରୁନଥିବା ବେଳେ ବାହାର ଜିଲ୍ଲାରୁ ମଧ୍ୟ ଘରୋଇ ବସ ଆସିନାହିଁ। ସଂଘର କର୍ମକର୍ତ୍ତାମାନେ ମାଲକାନଗିରି ବସଷ୍ଟାଣ୍ଡ ଠାରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେଇଛନ୍ତି।
ଅବିଭକ୍ତ କୋରାପୁଟ ଜିଲ୍ଲାର ୩୦୦ ଵସ ଚଳାଚଳ ବନ୍ଦ ରହିଛି। ୧୦ ତାରିଖ ସୁଦ୍ଧା ସରକାର ପଦକ୍ଷେପ ନ ନେଲେ ରାଜ୍ୟ ଘରୋଇ ବସ ମାଲିକ ମହାସଂଘ ଆନ୍ଦୋଳନରେ ସାମିଲ ହେଵେ ବୋଲି ଚେତାବନୀ ଦେଇଛନ୍ତି।