ନୂଆଦିଲ୍ଲୀ : 77ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ 2047 ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଆହ୍ୱାନ ଦେଇଛନ୍ତି । ଏଥିପାଇଁ ଦେଶରୁ ଦୁର୍ନୀତି, ପରିବାରବାଦ ଓ ତୁଷ୍ଟିକରଣକୁ ହଟାଇବାକୁ ପଡିବ ।
ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, 2047 ସୁଦ୍ଧା ଦେଶର ତ୍ରିରଙ୍ଗା ବିକଶିତ ଭାରତର ପ୍ରତିନିଧିତ୍ୱ କରିବ । ଏଥିପାଇଁ ସଠିକତା, ପାରଦର୍ଶିତା ଓ ନିରପେକ୍ଷତାର ଆବଶ୍ୟକତା ରହିଛି । ବିକଶିତ ରାଷ୍ଟ୍ର ଗଢି ତୋଳିବାକୁ ହେଲେ ବର୍ଷ ବର୍ଷ ଧରି ଆମ ଦେଶ ସଂଘର୍ଷ କରୁଥିବା ଏହି ଖରାପ ବା ଦୁଃଶକ୍ତି ଉପରେ ଆମକୁ ନଜର ଦେବାକୁ ପଡିବ । ଏହି ଦୁଃଶକ୍ତି ହେଉଛି ଦୁର୍ନୀତି, ପରିବାରବାଦ ଓ ତୁଷ୍ଟିକରଣ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁର୍ନୀତି ବିରୋଧୀ ଅଭିଯାନରେ 10 କୋଟି ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଠାରେ 10 କୋଟି ଲୋକ କେବେ ଜନ୍ମ ନେଇନଥିଲେ । କିନ୍ତୁ ସେମାନେ ବିଭିନ୍ନ ଯୋଜନାର ଲାଭ ଉଠାଇଛନ୍ତି । ଗତବର୍ଷ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ 20ଗୁଣା ଅଧିକ ଜବତ କରାଯାଇଛି ।
ପୁଣିଥରେ ପରିବାରବାଦ ରାଜନୀତି କଥା ଉଠାଇଛନ୍ତି ମୋଦି । ସେ କହିଛନ୍ତି ଯେ, ପରିବାରବାଦ ଯୋଗୁ ରାଜନୈତିକ ଦଳଗୁଡିକରେ ବିକୃତି ଦେଖାଦେଇଛି । ପରିବାରବାଦ ଦଳଗୁଡିକ କେବଳ ନିଜପାଇଁ କାମ କରୁଛନ୍ତି । ଏହି ଦଳଗୁଡିକ ଦେଶର ପ୍ରତିଭାର ଶତ୍ରୁ । ଏମାନେ ଯୋଗ୍ୟମାନଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି ।
ସେହିପରି ତୁଷ୍ଟିକରଣ ରାଜନୀତି କଥା ଉଠାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଯୋଗୁ ସାମାଜିକ ନ୍ୟାୟ ବ୍ୟବସ୍ଥା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଦେଶର ଜାତୀୟ ଚରିତ୍ର ମଧ୍ୟ ତୁଷ୍ଟିକରଣ ଯୋଗୁ ପ୍ରଭାବିତ ହୋଇଥିବା କହିଛନ୍ତି ମୋଦି ।