ନୂଆଦିଲ୍ଲୀ : 15ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକା ଗସ୍ତ କରିଛନ୍ତି । ଅଗଷ୍ଟ 22ରୁ 24 ଯାଏ ଜୋହାନସବର୍ଗରେ ଆୟୋଜିତ ହୋଇଥିବା ସମ୍ମିଳନୀରେ ଯୋଗ ଦେବା ପାଇଁ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ନିମନ୍ତ୍ରଣ କ୍ରମେ ମୋଦି ଏହି ଗସ୍ତ କରିଛନ୍ତି ।
2019 ପରେ ପ୍ରଥମ ଥର ପାଇଁ ବ୍ରିକ୍ସ ଦେଶ ବ୍ରାଜିଲ, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାର ନେତା ଗୋଟିଏ ମଞ୍ଚରେ ଏକାଠି ହେବେ । କରୋନା ମହାମାରୀ ଓ ଏହାର ପରବର୍ତ୍ତୀ ବିଶ୍ୱ ପ୍ରତିବନ୍ଧକ ପରେ ବ୍ୟକ୍ତିଗତ ଭାବେ ଅନୁଷ୍ଠିତ ହେବାକୁ ଥିବା ଏହା ହେଉଛି ପ୍ରଥମ ବିକ୍ସ ସମ୍ମିଳନୀ ।
ତେବେ ଜୋହାନ୍ସବର୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ ମଧ୍ୟ ହୋଇପାରେ । ସମ୍ମିଳନୀ ପରେ ଦକ୍ଷିଣ ଆଉଟରିଚ ଓ ବ୍ରିକ୍ସ ପ୍ଲସ ଆଲୋଚନା ହେବ । ଦକ୍ଷିଣ ଆଫ୍ରିକା ତରଫରୁ ଆମନ୍ତ୍ରିତ ଅନ୍ୟ ରାଷ୍ଟ୍ର ଏହି ସମ୍ମିଳନୀରେ ସାମିଲ ହେବେ । ଜୋହାନ୍ସବର୍ଗରେ ଉପସ୍ଥିତି ଥିବା କିଛି ନେତାଙ୍କ ସହ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହାପରେ ପ୍ରଧାନମନ୍ତ୍ରୀ 25 ଅଗଷ୍ଟରେ ଗ୍ରୀସ ଗସ୍ତ କରିବେ ।
ଦୁଇ ଦେଶକୁ ଯାତ୍ରା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ‘ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ନିମନ୍ତ୍ରଣ କ୍ରମେ ଜୋହାନ୍ସବର୍ଗରେ ଆୟୋଜିତ ହୋଇଥିବା 15ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ 22-24 ଅଗଷ୍ଟ ଯାଏ ଦକ୍ଷିଣ ଆଫ୍ରିକା ଗସ୍ତ କରୁଛି । ଏହି ଅବସରରେ ଜୋହାନ୍ସବର୍ଗରେ ଉପସ୍ଥିତ ଥିବା କିଛି ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ପାଇଁ ମଧ୍ୟ ଉତ୍ସୁକ ଥିବା କହିଛନ୍ତି ମୋଦି । ଅଗଷ୍ଟ 25ରେ ଗ୍ରୀସ ପ୍ରଧାନମନ୍ତ୍ରୀ କିରିୟାକୋସ ମିସ୍ତୋଟାକିସଙ୍କ ନିମନ୍ତ୍ରଣ କ୍ରମେ ଏଥେନ୍ସ ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି । ଏହା ପ୍ରାଚୀନ ଭୂମିକୁ ଏହା ପ୍ରଥମ ଯାତ୍ରା ବୋଲି ମୋଦି କହିଛନ୍ତି । 40 ବର୍ଷ ପରେ ଗ୍ରୀସ ଯାତ୍ରା କରୁଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସମ୍ମାନ ମିଳିଛି ବୋଲି ପିଏମ ମୋଦି କହିଛନ୍ତି ।.