ନୂଆଦିଲ୍ଲୀ, 04 ଅକ୍ଟୋବର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାର ନିଜାମାବାଦ ଠାରେ ବିଦ୍ୟୁତ୍ , ରେଳ ଏବଂ ସ୍ୱାସ୍ଥ୍ୟ ସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଉତ୍ସର୍ଗ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ଏନ୍ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ୮୦୦ ମେଗାୱାଟ ୟୁନିଟ, ମନୋହରାବାଦ ଏବଂ ସିଦ୍ଦିପେଟକୁ ସଂଯୋଗ କରୁଥିବା ନୂତନ ରେଳ ଲାଇନ୍ ସମେତ ଅନେକ ରେଳ ପ୍ରକଳ୍ପ; ଏବଂ ଧର୍ମବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତୀକରଣ ପ୍ରକଳ୍ପ ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ – ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ସେ ସାରା ରାଜ୍ୟରେ ୨୦ଟି କ୍ରିଟିକାଲ କେୟାର ବ୍ଲକ (ସିସିବି)ର ଶିଳାନ୍ୟାସ କରିଛନ୍ତି । ଶ୍ରୀ ମୋଦୀ ସିଦ୍ଦିପେଟ୍ – ସିକନ୍ଦରାବାଦ -ସିଦ୍ଦିପେଟ୍ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଜିର ପ୍ରକଳ୍ପ ଗୁଡିକ ପାଇଁ ତେଲେଙ୍ଗାନାର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ, କୌଣସି ରାଷ୍ଟ୍ର ବା ରାଜ୍ୟର ବିକାଶ ବିଦ୍ୟୁତ ଉତ୍ପାଦନ ପାଇଁ ଏହାର ଆତ୍ମନିର୍ଭରଶୀଳ କ୍ଷମତା ଉପରେ ନିର୍ଭର କରେ , କାରଣ ଏହା ସହଜ ଜୀବନଧାରଣ ଏବଂ ଇଜ୍ ଅଫ୍ ଡୁଇଂ ବିଜନେସ (ବ୍ୟବସାୟରେ ସହଜତା) ରେ ଏକା ସହିତ ଉନ୍ନତି ଆଣିଥାଏ । ପେଡାପଲ୍ଲୀ ଜିଲ୍ଲାରେ ଏନ୍ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ୮୦୦ ମେଗାୱାଟ ୟୁନିଟ୍ର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବିଦ୍ୟୁତ୍ର ସୁଚାରୁ ରୂପେ ଯୋଗାଣ ଏକ ରାଜ୍ୟରେ ଶିଳ୍ପର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ” । ଦ୍ୱିତୀୟ ୟୁନିଟ୍ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଏବଂ ଏହା ସମ୍ପୂର୍ଣ୍ଣ ହେବା ପରେ ବିଦ୍ୟୁତ୍ କେନ୍ଦ୍ରର ସ୍ଥାପନ କ୍ଷମତା ୪,୦୦୦ ମେଗାୱାଟ୍କୁ ବୃଦ୍ଧି ପାଇବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଦେଶର ସମସ୍ତ ଏନ୍ଟିପିସି ପାୱାର ପ୍ଲାଣ୍ଟ ମଧ୍ୟରୁ ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ଲାଣ୍ଟ ସବୁଠାରୁ ଅତ୍ୟାଧୁନିକ ପାୱାର ପ୍ଲାଣ୍ଟ ବୋଲି ସେ ଖୁସି ବ୍ୟକ୍ତ କରିଥିଲେ । ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରବୃତ୍ତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଏହି ପାୱାର ପ୍ଲାଣ୍ଟରେ ଉତ୍ପାଦିତ ବିଦ୍ୟୁତର ଏକ ବଡ଼ ଅଂଶ ତେଲେଙ୍ଗାନାର ଲୋକ ମାନଙ୍କ ପାଖକୁ ଯିବ” । ୨୦୧୬ ରେ ଏହି ପ୍ରକଳ୍ପର ଶିଳାନ୍ୟାସ ସମ୍ପର୍କରେ ସେ ମନେ ପକାଇଥିଲେ ଏବଂ ଆଜି ଏହାକୁ ଉଦ୍ଘାଟନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହା ଆମ ସରକାରଙ୍କ ନୂତନ କାର୍ଯ୍ୟ ସଂସ୍କୃତି ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ , ତେଲେଙ୍ଗାନାର ବିଦ୍ୟୁତ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ନିକଟରେ ହାସନ – ଚେର୍ଲାପଲ୍ଲୀ ପାଇପଲାଇନ୍ ଲୋକାର୍ପଣ କରିବା କଥା ସେ ମନେ ପକାଇଥିଲେ । ଏହି ପାଇପଲାଇନ୍ ଶସ୍ତା ଏବଂ ପରିବେଶ ଅନୁକୂଳ ଉପାୟରେ ଏଲପିଜି ପରିବର୍ତ୍ତନ, ପରିବହନ ଏବଂ ବିତରଣର ଆଧାର ହେବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।
ଧର୍ମାବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତିକରଣ ପ୍ରକଳ୍ପ ଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଦ୍ୱାରା ରାଜ୍ୟରେ ଯୋଗାଯୋଗ ବୃଦ୍ଧି ହେବା ସହ ଦୁଇଟି ଟ୍ରେନର ହାରାହାରି ବେଗ ବୃଦ୍ଧି ପାଇବ । ଭାରତୀୟ ରେଳବାଇ ସମସ୍ତ ରେଳ ଲାଇନ୍କୁ ଶତ ପ୍ରତିଶତ ବିଦ୍ୟୁତିକରଣ ଲକ୍ଷ୍ୟ ନେଇ ଗତି କରୁଛି ବୋଲି ସେ କହିଛନ୍ତି । ମନୋହରାବାଦ ଏବଂ ସିଦ୍ଦିପେଟ ମଧ୍ୟରେ ନୂତନ ରେଳ ସଂଯୋଗ ବ୍ୟବସାୟ ଏବଂ ଶିଳ୍ପକୁ ପ୍ରୋତ୍ସାହନ ଦେବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ୨୦୧୬ ରେ ଏହି ପ୍ରକଳ୍ପର ଶିଳାନ୍ୟାସକୁ ମନେ ପକାଇଥିଲେ ।
ପ୍ରଧାନମନ୍ତ୍ରୀ ଏହା ମଧ୍ୟ ମନେ ପକାଇଥିଲେ ଯେ, ସ୍ୱାସ୍ଥ୍ୟ ସେବା କିପରି ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ କ୍ଷେତ୍ର ଥିଲା । ସ୍ୱାସ୍ଥ୍ୟ ସେବାକୁ ସମସ୍ତଙ୍କ ପାଖରେ ଉପଲବ୍ଧ କରିବା ପାଇଁ ତଥା ସୁଲଭ କରିବା ନିମନ୍ତେ ନିଆ ଯାଇଥିବା ଅନେକ ପଦକ୍ଷେପ ସମ୍ପର୍କରେ ଶ୍ରୀ ମୋଦୀ ସୂଚନା ଦେଇଥିଲେ । ମେଡିକାଲ କଲେଜ ଓ ଏମ୍ସ ଗୁଡିକର ସଂଖ୍ୟା ବଢ଼ୁଥିବା ନେଇ ସେ ଆଲୋଚନା କରିଥିଲେ, ଯହା ମଧ୍ୟରେ ବିବିନଗରରେ ଥିବା ଏକ ଏମ୍ସ ବିଷୟରେ ସେ କହିଥିଲେ । ଏହା ସହିତ ଡାକ୍ତର ମାନଙ୍କ ସଂଖ୍ୟା ବୃଦ୍ଧି କରିବା ଦିଗରେ ମଧ୍ୟ କାର୍ଯ୍ୟ କରାଯାଉଛି ।
ପ୍ରଧାନମନ୍ତ୍ରୀ ପିଏମ୍ ଆୟୁଷ୍ମାନ ଭାରତ ଭିତ୍ତିଭୂମି ମିଶନ ବିଷୟରେ ସୂଚନା ଦେଇଥିଲେ, ଯାହା ଅଧୀନରେ ପ୍ରତ୍ୟେକ ଜିଲ୍ଲାରେ ଗୁଣାତ୍ମକ ଭିତ୍ତିଭୂମି ସୁନିଶ୍ଚିତ କରାଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହି ମିଶନ ଅଧୀନରେ ଆଜି ତେଲେଙ୍ଗାନା ଠାରେ ୨୦ଟି କ୍ରିଟିକାଲ କେୟାର ବ୍ଲକର ଶିଳାନ୍ୟାସ କରାଯାଇଛି । ବ୍ଲକ୍ ଗୁଡିକ ଏପରି ଭାବରେ ନିର୍ମାଣ କରାଯିବ ଯେପରି ସେଠାରେ ଉତ୍ସର୍ଗୀକୃତ ଆଇସୋଲେସନ ୱାର୍ଡ, ଅକ୍ସିଜେନ ଯୋଗାଣ ଏବଂ ସଂକ୍ରମଣ ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିବ ବୋଲି ସେ ସୂଚନା ଦେଇଛନ୍ତି ।
“ତେଲେଙ୍ଗାନାରେ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ପାଇଁ ୫୦ ରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ସାରିଛି\” ବୋଲି ସେ କହିଥିଲେ । କରୋନା ମହାମାରୀ ସମୟରେ ତେଲେଙ୍ଗାନାରେ ୫୦ଟି ବୃହତ୍ ପିଏସ୍ଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରା ଯାଇଥିଲା ଯାହା ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ବିଦ୍ୟୁତ୍, ରେଳ ବାଇ ଏବଂ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆଜିର ପ୍ରକଳ୍ପ ଗୁଡିକ ପାଇଁ ସେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇ ବକ୍ତବ୍ୟ ଶେଷ କରିଥିଲେ ।
ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।