ନୂଆଦିଲ୍ଲୀ, 20 ଅକ୍ଟୋବର – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗାଜିଆବାଦର ସାହିବାବାଦ ରାପିଡ୍ ଏକ୍ସ ଷ୍ଟେସନରେ ଦିଲ୍ଲୀ – ଗାଜିଆବାଦ – ମିରଟ ଆର୍ଆର୍ଟିଏସ୍ କରିଡରର ପ୍ରମୁଖ ବିଭାଗକୁ ଉଦଘାଟନ କରିଛନ୍ତି । ଭାରତରେ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆର୍ଆର୍ଟିଏସ୍) ର ଶୁଭାରମ୍ଭ ଅବସରରେ ସାହିବାବାଦରୁ ଦୁହାଇ ଡିପୋକୁ ସଂଯୋଗ କରୁଥିବା ନମୋ ଭାରତ ରାପିଡ୍ ଏକ୍ସ ଟ୍ରେନ୍କୁ ମଧ୍ୟ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶ୍ରୀ ମୋଦୀ ବେଙ୍ଗାଲୁରୁ ମେଟ୍ରୋର ପୂର୍ବ – ପଶ୍ଚିମ କରିଡରର ଦୁଇଟି ଅଂଶକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।
ପ୍ରଧାନମନ୍ତ୍ରୀ ଆଞ୍ଚଳିକ ରାପିଡ୍ ଟ୍ରେନ୍ ନମୋ ଭାରତରେ ଯାତ୍ରା ମଧ୍ୟ କରିଥିଲେ ।
ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଭାରତର ପ୍ରଥମ ରାପିଡ୍ ରେଳ ସେବା ନମୋ ଭାରତ ଟ୍ରେନ୍କୁ ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଉଥିବାରୁ ଆଜି ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଶ୍ରୀ ମୋଦୀ ୪ ବର୍ଷ ପୂର୍ବେ ଦିଲ୍ଲୀ – ଗାଜିଆବାଦ – ମିରଟ ଆର୍ଆର୍ଟିଏସ୍ କରିଡରର ଶିଳାନ୍ୟାସ କରିବା କଥା ମନେ ପକାଇଥିଲେ ଏବଂ ଆଜି ସାହିବାବାଦରୁ ଦୁହାଇ ଡିପୋ ପର୍ଯ୍ୟନ୍ତ ଏହି ଅତ୍ୟାଧୁନିକ ରେଳସେବା ବ୍ୟବସ୍ଥାକୁ ପ୍ରଂଶସା କରିଥିଲେ । ଯେଉଁ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ହୋଇଛି ତାହାର ଉଦ୍ଘାଟନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇ ଥିଲେ ଓ ଦେଢ଼ ବର୍ଷ ପରେ ଆର୍ଆର୍ଟିଏସ୍ ମିରଟ ଅଂଶର ଉଦ୍ଘାଟନ ପାଇଁ ସେ ଉପସ୍ଥିତ ରହିବେ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ ଆଜି ସକାଳେ ନମୋ ଭାରତରେ ଯାତ୍ରା କରିବାର ଅନୁଭୂତି ବଂଟନ କରିଥିଲେ ଏବଂ ଦେଶରେ ରେଳବାଇର ପରିବର୍ତ୍ତନରେ ଆନନ୍ଦ ପ୍ରକାଶ କରିଥିଲେ । ନବରାତ୍ରି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନମୋ ଭାରତ ମାତା କାତ୍ୟାୟନୀଙ୍କ ଆଶୀର୍ବାଦ ପାଇଛି । ନବନିର୍ମିତ ନମୋ ଭାରତ ଟ୍ରେନ୍ର ସମ୍ପୂର୍ଣ୍ଣ ସପୋର୍ଟ ଷ୍ଟାଫ୍ ଏବଂ ଲୋକୋମୋଟିଭ୍ ପାଇଲଟ୍ ହେଉଛନ୍ତି ମହିଳାମାନେ ବୋଲି ସେ ସୂଚନା ଦେଇଥିଲେ। ନମୋ ଭାରତ ଦେଶରେ ନାରୀ ଶକ୍ତିକୁ ସୁଦୃଢ଼ କରିବାର ପ୍ରତୀକ ବୋଲି ଶ୍ରୀ ମୋଦୀ କହିଛନ୍ତି । ନବରାତ୍ରିର ପବିତ୍ର ଅବସରରେ ଆଜିର ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଏନ୍ସିଆର ଏବଂ ପଶ୍ଚିମ ଉତ୍ତରପ୍ରଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନମୋ ଭାରତ ଟ୍ରେନ୍ର ଅତ୍ୟାଧୁନିକ ଡିଜାଇନ ଏବଂ ଏହାର ତୀବ୍ର ଗତିକୁ ପ୍ରଂଶସା କରିଥିଲେ । ନମୋ ଭାରତ ଟ୍ରେନ୍ ନୂତନ ଭାରତର ନୂତନ ଯାତ୍ରା ଏବଂ ଏହାର ନୂତନ ସଂକଳ୍ପକୁ ବ୍ୟାଖ୍ୟା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ରାଜ୍ୟ ମାନଙ୍କର ବିକାଶରେ ହିଁ ଭାରତର ବିକାଶ ରହିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ବିଶ୍ୱାସକୁ ଦୋହରାଇ ଥିଲେ । ସେ କହିଛନ୍ତି ଯେ ମେଟ୍ରୋର ଦୁଇଟି ଅଂଶ ବେଙ୍ଗାଲୁରୁର ଆଇଟି ହବ୍ରେ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବ । ପ୍ରତିଦିନ ପ୍ରାୟ ୮ ଲକ୍ଷ ଯାତ୍ରୀ ମେଟ୍ରୋରେ ଯାତ୍ରା କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ, ଏକବିଂଶ ଶତାବ୍ଦୀର ଭାରତ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି ଓ ବିକାଶର ନିଜସ୍ୱ ଗାଥା ଲେଖୁଛି । ସେ ଚନ୍ଦ୍ରଯାନ – ୩ର ସାମ୍ପ୍ରତିକ ସଫଳତା ବିଷୟରେ ଉଲ୍ଲେଖ କରିବା ସହ ଜି – ୨୦ର ସଫଳ ଆୟୋଜନ ବିଷୟରେ ମଧ୍ୟ କହିଥିଲେ ଯାହା ଭାରତକୁ ସମଗ୍ର ବିଶ୍ୱରେ ଆକର୍ଷଣର କେନ୍ଦ୍ର ବିନ୍ଦୁରେ ପରିଣତ କରିଛି । ଏସୀୟ କ୍ରୀଡ଼ାରେ ଶହେରୁ ଅଧିକ ପଦକ ଜିତିବାର ରେକର୍ଡ ଭାଙ୍ଗିଥିବା ପ୍ରଦର୍ଶନ, ଭାରତରେ ୫-ଜିର ଶୁଭାରମ୍ଭ, ସମ୍ପ୍ରସାରଣ ଏବଂ ରେକର୍ଡ ସଂଖ୍ୟକ ଡିଜିଟାଲ କାରବାର ହୋଇଥିବା ସେ ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ ଭାରତରେ ପ୍ରସ୍ତୁତ ଟୀକା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ବିଶ୍ୱର କୋଟି କୋଟି ଲୋକଙ୍କ ପାଇଁ ଜୀବନ ରକ୍ଷାକାରୀ ସାବ୍ୟସ୍ତ ହୋଇଥିଲା । ଉତ୍ପାଦନ କ୍ଷେତ୍ରରେ ଭାରତର ଉନ୍ନତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋବାଇଲ ଫୋନ୍, ଟିଭି, ଲାପଟପ୍ ଏବଂ କମ୍ପ୍ୟୁଟର ପାଇଁ ଭାରତରେ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବା ନିମନ୍ତେ ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡିକର ଆଗ୍ରହ ବିଷୟରେ ଉଲ୍ଲେଖ କରିଥିଲେ । ଲଢ଼ୁଆ ବିମାନ ଏବଂ ବିମାନବାହୀ ଜାହାଜ ଆଇଏନଏସ୍ ବିକ୍ରାନ୍ତ ସମେତ ପ୍ରତିରକ୍ଷା ଉତ୍ପାଦନ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ନମୋ ଭାରତ ଟ୍ରେନ୍ ଏବଂ ପ୍ଲାଟଫର୍ମରେ ଲଗାଯାଇଥିବା ସ୍କ୍ରିନ୍ କବାଟ ମଧ୍ୟ ଭାରତରେ ନିର୍ମିତ l ଏହି ଟ୍ରେନ୍ରେ ଶବ୍ଦ ସ୍ତର ହେଲିକପ୍ଟର ଏବଂ ବିମାନ ତୁଳନାରେ କମ୍ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଥିଲେ l
ନମୋ ଭାରତ ଭବିଷ୍ୟତର ଭାରତର ଝଲକ ଏବଂ ବୃଦ୍ଧି ପାଉଥିବା ଅର୍ଥନୈତିକ ଶକ୍ତି ସହିତ ରାଷ୍ଟ୍ରର ପରିବର୍ତ୍ତନର ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି କହିଥିଲେ ଯେ ଏହି ୮୦ କିଲୋମିଟର ଦିଲ୍ଲୀରୁ ମିରଟ ପର୍ଯ୍ୟନ୍ତ ରେଳସେବା କେବଳ ଆରମ୍ଭ l ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନର ଅନେକ ଅଞ୍ଚଳକୁ ନମୋ ଭାରତ ଟ୍ରେନ୍ ସହିତ ଯୋଡ଼ାଯିବ । ଆଗାମୀ ଦିନରେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ନିଯୁକ୍ତିର ନୂତନ ମାର୍ଗ ସୃଷ୍ଟି କରିବା ପାଇଁ ଦେଶର ଅନ୍ୟାନ୍ୟ ସ୍ଥାନରେ ସମାନ ବ୍ୟବସ୍ଥା ସୃଷ୍ଟି କରାଯିବ l ବର୍ତ୍ତମାନ ଶତାବ୍ଦୀର ଏହି ତୃତୀୟ ଦଶନ୍ଧି ହେଉଛି ଭାରତୀୟ ରେଳବାଇର ପରିବର୍ତ୍ତନର ଦଶନ୍ଧି । ମୋର ଛୋଟ ଛୋଟ ସ୍ୱପ୍ନ ଏବଂ ଧୀରେ ଧୀରେ ଚାଲିବା ଅଭ୍ୟାସ ନାହିଁ । ମୁଁ ଆଜିର ଯୁବପିଢ଼ିଙ୍କୁ ଏକ ଗ୍ୟାରେଣ୍ଟି ଦେବାକୁ ଚାହୁଁଛି ଯେ ଏହି ଦଶନ୍ଧି ଶେଷ ସୁଦ୍ଧା ଆପଣ ଭାରତୀୟ ଟ୍ରେନ୍ ଦୁନିଆରେ କାହାଠାରୁ ପଛରେ ରହିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ସୁରକ୍ଷା, ସ୍ୱଚ୍ଛତା, ସୁବିଧା, ସମନ୍ୱୟ, ସମ୍ବେଦନଶୀଳତା ଏବଂ ଦକ୍ଷତା କ୍ଷେତ୍ରରେ ଭାରତୀୟ ରେଳବାଇ ବିଶ୍ୱରେ ଏକ ନୂତନ ପରିଚୟ ହାସଲ କରିବ ବୋଲି ସେ ଉଲ୍ଲେଖ କରିଥିଲେ । ଶତ ପ୍ରତିଶତ ବିଦ୍ୟୁତୀକରଣ ଲକ୍ଷ୍ୟ ଠାରୁ ଭାରତୀୟ ରେଳପଥ ବେଶୀ ଦୂରରେ ନାହିଁ । ନମୋ ଭାରତ ଓ ବନ୍ଦେ ଭାରତ ଭଳି ଆଧୁନିକ ଟ୍ରେନ୍ ଏବଂ ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ରେଳ ଷ୍ଟେସନର ଉନ୍ନତିକରଣ ଭଳି ପଦକ୍ଷେପ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଅମୃତ ଭାରତ, ବନ୍ଦେ ଭାରତ ଏବଂ ନମୋ ଭାରତ ଏହି ଦଶନ୍ଧି ଶେଷ ସୁଦ୍ଧା ଆଧୁନିକ ରେଳପଥର ପ୍ରତୀକରେ ପରିଣତ ହେବ ବୋଲି ସେ କହିଛନ୍ତି ।
ମଲ୍ଟି – ମୋଡାଲ ସଂଯୋଗର ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀର ସରାଇ କାଲେ ଖାନ, ଆନନ୍ଦ ବିହାର, ଗାଜିଆବାଦ ଏବଂ ମୀରଟ ବସ୍ ଷ୍ଟେସନ, ମେଟ୍ରୋ ଷ୍ଟେସନ ଏବଂ ରେଳ ଷ୍ଟେସନକୁ ନମୋ ଭାରତ ବ୍ୟବସ୍ଥା ଦ୍ୱାରା ସଂଯୋଗ କରାଯାଉଛି ।
ସମସ୍ତ ନାଗରିକ ମାନଙ୍କର ଜୀବନଧାରଣମାନରେ ଉନ୍ନତି ଆଣିବା, ଉନ୍ନତ ବାୟୁଗୁଣବତ୍ତା ପ୍ରଦାନ, ଅଳିଆ ଗଦାରୁ ମୁକ୍ତି, ଉନ୍ନତ ଶିକ୍ଷା ସୁବିଧା ଏବଂ ସାଧାରଣ ପରିବହନ ସେବାରେ ଉନ୍ନତି ଆଣିବା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି । ଦେଶରେ ସାର୍ବଜନୀନ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାର ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଏବଂ ସ୍ଥଳ, ଆକାଶ ଓ ସମୁଦ୍ରରେ ସର୍ବାଙ୍ଗୀନ ବିକାଶ ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ । ଜଳ ପରିବହନ ବ୍ୟବସ୍ଥାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭାରତର ନଦୀ ଗୁଡ଼ିକରେ ଶହେରୁ ଅଧିକ ଜଳପଥ ବିକଶିତ ହେଉଛି ଯେଉଁଠାରେ ବାରଣାସୀରୁ ହଳଦିଆ ପର୍ଯ୍ୟନ୍ତ ଗଙ୍ଗା କୂଳରେ ସବୁଠାରୁ ବଡ଼ ଜଳପଥ ବିକଶିତ ହେଉଛି । ସେ କହିଛନ୍ତି ଯେ କୃଷକମାନେ ବର୍ତ୍ତମାନ ଆଭ୍ୟନ୍ତରୀଣ ଜଳପଥ ସାହାଯ୍ୟରେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଏହି ଅଞ୍ଚଳ ବାହାରକୁ ପଠାଇ ପାରିବେ । ପ୍ରଧାନମନ୍ତ୍ରୀ ନିକଟରେ ସମାପ୍ତ ହୋଇଥିବା ଗଙ୍ଗାବିଳାସ ନଦୀ କୢଜ୍ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ୩୨୦୦ କିଲୋମିଟରରୁ ଅଧିକ ଯାତ୍ରା ଶେଷ କରିଥିଲା ଏବଂ ବିଶ୍ୱର ସବୁଠାରୁ ଲମ୍ବା ନଦୀ କୢଜ୍ ହେବାର ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା । ଦେଶରେ ବନ୍ଦର ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ଆଧୁନିକୀକରଣ ବିଷୟରେ ସେ କହିଥିଲେ ଯାହାର ସୁଫଳ କର୍ଣ୍ଣାଟକ ଭଳି ରାଜ୍ୟ ମଧ୍ୟ ପାଉଛନ୍ତି । ଲ୍ୟାଣ୍ଡ ନେଟୱାର୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଆଧୁନିକ ଏକ୍ସପ୍ରେସୱେର ସମ୍ପ୍ରସାରଣ ପାଇଁ ୪ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ନମୋ ଭାରତ କିମ୍ବା ମେଟ୍ରୋ ଟ୍ରେନଭଳି ଆଧୁନିକ ଟ୍ରେନ୍ ସେବା ପାଇଁ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଦିଲ୍ଲୀରେ ମେଟ୍ରୋ ନେଟୱାର୍କର ସମ୍ପ୍ରସାରଣ ସହିତ ସମାନତା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରପ୍ରଦେଶର ନୋଏଡା, ଗାଜିଆବାଦ, ଲକ୍ଷ୍ନୌ, ମିରଟ, ଆଗ୍ରା ଏବଂ କାନପୁର ଭଳି ସହର ସମାନ ମାର୍ଗ ଅନୁସରଣ କରୁଛନ୍ତି । ଏପରିକି କର୍ଣ୍ଣାଟକରେ ମଧ୍ୟ ବେଙ୍ଗାଲୁରୁ ଓ ମହୀଶୂରରେ ମେଟ୍ରୋର ସମ୍ପ୍ରସାରଣ କରାଯାଉଛି । ବର୍ଦ୍ଧିତ ବିମାନ ସଂଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଗତ ୯ ବର୍ଷ ମଧ୍ୟରେ ବିମାନ ବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି ଏବଂ ଭାରତର ଏୟାରଲାଇନ୍ସ ଗୁଡ଼ିକ ୧୦ରୁ ଅଧିକ ନୂତନ ବିମାନ ପାଇଁ ଅର୍ଡର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଭାରତର ଦ୍ରୁତ ଅଗ୍ରଗତି ବିଷୟରେ ମଧ୍ୟ କହିଥିଲେ ଏବଂ ଚନ୍ଦ୍ରରେ ପାଦ ରଖିଥିବା ଚନ୍ଦ୍ରଯାନ ବିଷୟରେ ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ସରକାର ୨୦୪୦ ପର୍ଯ୍ୟନ୍ତ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ମାନବ ମହାକାଶ ଯାତ୍ରା ଏବଂ ଭାରତର ମହାକାଶ ଷ୍ଟେସନ ସ୍ଥାପନ ପାଇଁ ଗଗନାୟନ ଅନ୍ତର୍ଭୁକ୍ତ । “ସେହି ଦିନ ଦୂର ନୁହେଁ , ଯେତେବେଳେ ଆମେ ଆମ ମହାକାଶଯାନରେ ପ୍ରଥମ ଭାରତୀୟଙ୍କୁ ଚନ୍ଦ୍ରରେ ଅବତରଣ କରାଇବୁ’ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଦେଶର ଯୁବବର୍ଗମାନଙ୍କ ପାଇଁ ଏହି ବିକାଶ କରାଯାଉଛି ଏବଂ ସେମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି ହେଉଛି ବୋଲି ସେ ଦୋହରାଇ ଥିଲେ ।
ସହରାଞ୍ଚଳ ପ୍ରଦୂଷଣ ହ୍ରାସ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଦେଶରେ ଇଲେକ୍ଟ୍ରିକ୍ ବସ୍ର ନେଟୱାର୍କ ବୃଦ୍ଧି କରାଯାଉଛି । କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ୧୦ ହଜାର ଇଲେକ୍ଟ୍ରିକ୍ ବସ୍ ଯୋଗାଇଦେବା ପାଇଁ ଯୋଜନା କରିଛନ୍ତି । ଭାରତ ସରକାର ୬୦୦ କୋଟି ଟଙ୍କା ବ୍ୟୟରେ ଦିଲ୍ଲୀରେ ୧୩୦୦ ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ଦିଲ୍ଲୀରେ ୮୫୦ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ଚଳାଚଳ ଆରମ୍ଭ କରିସାରିଛି । ସେହିଭଳି ବାଙ୍ଗାଲୋର ଠାରେ ମଧ୍ୟ ଭାରତ ସରକାର ୧୨୦୦ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ଚଳାଇବା ପାଇଁ ୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି । ଦିଲ୍ଲୀ, ଉତ୍ତର ପ୍ରଦେଶ କିମ୍ବା କର୍ଣ୍ଣାଟକ ପ୍ରତ୍ୟେକ ସହରରେ ଆଧୁନିକ ଏବଂ ସବୁଜ ସାଧାରଣ ପରିବହନକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି ।