ଭୁବନେଶ୍ୱର : ୩ ଦଫା ଦାବିରେ ସମୂହ ଛୁଟିରେ ଯାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ପ୍ରାଥମିକ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ । ଅନ୍ୟପକ୍ଷରେ କାର୍ଯ୍ୟରେ ଯୋଗ ଦେବାକୁ ନାଲି ଆଖି ଦେଖାଇଛନ୍ତି ସରକାର । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏନେଇ ସମସ୍ତ ଡିଇଓ ଓ ବିଇଓଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଶିକ୍ଷକଶିକ୍ଷୟିତ୍ରୀମାନେ ଶିକ୍ଷା ବିଭାଗର ବିନା ଅନୁମତିରେ ଛୁଟିରେ ଯାଇଥିବାରୁ ତୁରନ୍ତ ଫେରି କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି । ଏଥିସହ ୨୨୦ ଦିନ କାର୍ଯ୍ୟଦିବସ ପୂରଣ ନ ହେଲେ ପରବର୍ତୀ ସମୟରେ ସମୂହ ଛୁଟିରେ ଥିବା ଶିକ୍ଷକମାନେ ତାହାକୁ ଭରଣା କରିବେ ବୋଲି ଚିଠିରେ ଦର୍ଶାଯାଇଛି । ଏପରିକି ଆନ୍ଦୋଳନ ଯୋଗୁ ଚଳିତ ବର୍ଷ ଯେତିକି କାର୍ଯ୍ୟ ଦିବସ ନିଅଂଟ ହେବ ଆସନ୍ତା ବର୍ଷ ୨୨୦ ଦିନର କାର୍ଯ୍ୟ ଦିବସ ପରେ ତାହାକୁ ସେମାନେ ଭରଣା କରିବେ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି ।
ସୂଚନାଯୋଗ୍ୟ ଯେ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟରେ ପାଠ ପଢ଼ା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଛି । ୪ ଦିନ ଧରି ବିଇଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ପରେ ଗତକାଲିଠାରୁ ସମୂହ ଛୁଟିରେ ଯାଇଛନ୍ତି ପ୍ରାଥମିକ ଶିକ୍ଷକ । ଫଳରେ ରାଜ୍ୟରେ ପ୍ରାଥମିକ ଶିକ୍ଷାରେ ଡୋରି ବନ୍ଧା ହୋଇଛି । ରାଜ୍ୟର ୫୬ ହଜାର ପ୍ରାଥମିକ ସ୍କୁଲରେ ତାଲା ପଡ଼ିବା ସହ ଶିକ୍ଷାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଠିକା ଅବଧି ୬ ବର୍ଷ ଏବଂ ଶିକ୍ଷାକର୍ମୀ ୪ ବର୍ଷ ସମୟକୁ ଚାକିରିରେ ଗଣନା କରି ନ୍ୟାସନାଲ ଓ ଇକ୍ରିମେଂଟ ପ୍ରଦାନ କରିବା, ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ ଏଲିମେଂଟାରୀ କ୍ୟାଡ଼ର ଭୁକ୍ତ କରିବା, କଳା, କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ଦାବି ସହ ଯୁକ୍ତ ଦୁଇ ଯୋଗ୍ୟତା ଆଧାରରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ସହ ପୁରୁଣା ପେନସନ ପୁନଃ ପ୍ରଚଳନ ନିମନ୍ତେ ଆନ୍ଦୋଳନ ଚଳାଇଛନ୍ତି ପ୍ରାଥମିକ ଶିକ୍ଷକ ।