କେନ୍ଦୁଝର:ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ସ୍ୱତନ୍ତ୍ର ବିମାନ ଯୋଗେ ଆସି କେନ୍ଦୁଝରର ରାଇସୁଆଁ ଏୟାର୍ଷ୍ଟ୍ରିପ୍ ରେ ଅବତରଣ କରିବା ପରେ ସଡକପଥରେ ଗୋନାସିକା ଗସ୍ତ କରିଥିଲେ । ସେଠାରେ ଆଦିମ ଜନଜାତି ବର୍ଗଙ୍କ ସହ ଭାବ ବିନିମୟ କରିଥିଲେ ଏବଂ ପରେ ଧରଣୀଧର ବିଶ୍ୱବିଦ୍ୟାଳୟରେ କେନ୍ଦୁଝରଠାରେ ଆୟୋଜିତ “ଜନଜାତି, ଜନ ସଂସ୍କୃତି ଓ ଐତିହ୍ୟ” ଶୀର୍ଷକ ଜାତୀୟ ପାଠଚକ୍ରର ଉଦ୍ଘାଟନ କରି ଉଦ୍ବୋଧନ ଦେଇଥିଲେ । ଉପରୋକ୍ତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଥିଲେ ଯେ ଜନଜାତିମାନଙ୍କର ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଜୀବନଶୈଳୀ ଅନନ୍ୟ । ସେମାନେ ଶିକ୍ଷିତ ଓ ସଚେତନ ହେଲେ ଦେଶର ସମୃଦ୍ଧି ତ୍ୱରାନ୍ୱିତ ହେବ ବୋଲି କହିଥିଲେ । ଆଦିମ ଜନଜାତିମାନଙ୍କ ପ୍ରଗତି ପାଇଁ ସରକାର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ପ୍ରବର୍ତନ କରିଛନ୍ତି । ସବ୍କା ସାଥ୍- ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ସମସ୍ତଙ୍କୁ ଆଗକୁ ନେବ । ତେବେ ସମାଜ ଦେଶ ଆଗକୁ ବଢିବ । ଯେଉଁମାନେ ପଛରେ ଅଛନ୍ତି ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମେ ସମସ୍ତେ ପ୍ରୟାସ କରିବା ବୋଲି କହିଥିଲେ ।
ଗୋନାସିକା ଠାରେ ଆଦିମ ଜନଜାତି ଜୁଆଙ୍ଗ ବର୍ଗର ଜନସାଧାରଣଙ୍କ ସହ ଭାବବିନିମୟ କରିବା ଛଳରେ ମାନ୍ୟବର ରାଷ୍ଟ୍ରପତି କହିଥିଲେ ଯେ ଏକ ସୁଦୃଢ ସଂସ୍କୃତି ଓ ପରମ୍ପରାକୁ ନେଇ ଆଦିବାସୀ ଜନଜାତି ସାମାଜିକ ଜୀବନ ଗଠିତ । ଜନଜାତି ସଂସ୍କୃତି ହେଉଛି ଆଦିମ ସଂସ୍କୃତି । ଜନଜାତି ସଂସ୍କୃତିର ପରମ ବୈଭବ ହେଉଛି ନୃତ୍ୟ, ଗୀତ, କଳାପାଟବ, ପର୍ବପର୍ବାଣୀ, ଦେବଦେବୀ ଉପାସନା ତଥା ଲୋକଗୀତ । ଜନଜାତି ଜୀବନଦର୍ଶନ ହେଉଛି ଖୁସିରେ ଜୀବନ ଜିଇଁବା, ନିଜେ ବଂଚିବା, ଅନ୍ୟକୁ ବଂଚାଇବା, ପରିବାରର ସୁଖ ଚାହିଦା ଓ ସମାଜକୁ ନେଇ ଜୀବନ ନିର୍ବାହ କରିବା, ସେଥିପାଇଁ ଜନଜାତି ମଣିଷ ପାଖରେ ବସ୍ତୁବାଦୀ ଚେତନାର ମୋହ ନଥାଏ । ଭାରତ ବର୍ଷର ୧୪୦ କୋଟି ଲୋକ ମଧ୍ୟରୁ ୭୦୦ ରୁ ଉର୍ଦ୍ଧ୍ୱ ପ୍ରକାରର ଜନଜାତି ଲୋକ ବସବାସ କରୁଛନ୍ତି । ଓଡିଶାରେ ଏମାନଙ୍କ ସଂଖ୍ୟା ୬୨ । କେନ୍ଦୁଝର ଜିଲ୍ଲାରେ ଆଦିମ ଜନଜାତି ମାନଙ୍କ ସଂପର୍କରେ ଆଲୋକପାତ କରି ମାନ୍ୟବର ରାଷ୍ଟ୍ରପତି କହିଥିଲେ ଯେ ଜନଜାତି ବର୍ଗର ଲୋକମାନେ ପ୍ରକୃତିକୁ ସ୍ୱତନ୍ତ୍ର ଢଙ୍ଗରେ ପୂଜା କରନ୍ତି । ପ୍ରକୃତି ଏମାନଙ୍କର ସବୁକିଛି । ଆଦିମ ଜନଜାତି ସମୁଦାୟଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ôଥକ କ୍ଷେତ୍ର ତଥା ସାମାଜିକସ୍ତରରେ ଆଗକୁ ଆଣିବାକୁ ପଡିବ । ଜୁଆଙ୍ଗ ଭାଇଭଉଣୀ ହୁଅନ୍ତୁ କିମ୍ବା ଅନ୍ୟଭାଇଭଉଣୀମାନେ କୌଳିକ ବୃତି ମାଧ୍ୟମରେ ମାର୍କେଟିଙ୍ଗ୍ କରି ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେଉଛନ୍ତି ବୋଲି ମାନ୍ୟବର ରାଷ୍ଟ୍ରପତି କହିଥିଲେ । ଆଦିମ ଜନଜାତି ବର୍ଗର ଜନସାଧାରଣ କେଉଁ ପ୍ରକାର ଧନ୍ଦା ବା କର୍ମସଂସ୍ଥାନ କରି ରୋଜଗାର କରୁଛନ୍ତି ଏବଂ ବିଭିନ୍ନ ଯୋଜନାରେ କିପରି ଉପକୃତ ହେଉଛନ୍ତି ସେ ସଂପର୍କରେ ପଚାରି ବୁଝିଥିଲେ । ଏତଦ୍ବ୍ୟତୀତ ସେମାନଙ୍କର ଶିକ୍ଷାର ବିକାଶ କିପରି ହୋଇପାରିବ ସେ ସଂପର୍କରେ ବାର୍ତାଳାପ କରିଥିଲେ । ଏହି ଅବସରରେ ଜୁଆଙ୍ଗ ପୀଢର ସର୍ଦ୍ଦାରମାନଙ୍କୁ ମାନ୍ୟବର ରାଷ୍ଟ୍ରପତି ଉପଢୌକନ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ, ଓଡିଶାର କ୍ରୀଡା ଓ ଯୁବସେବା, ସୂଚନା ପ୍ରଯୁକ୍ତି, ଇଲେକ୍ଟ୍ରୋନିକ୍ସ୍ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ବିଶାଲ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ପୂର୍ବତନ ସାଂସଦ ଅନନ୍ତ ନାୟକ, ମତ୍ସ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଉତରାଂଚଳ ରାଜସ୍ୱ କମିଶନର ଶ୍ରୀକାନ୍ତ ପୃଷ୍ଟି, ଏସ୍.ପି. ନିତିନ କୁଶଲକର ପ୍ରମୁଖ ଉପସ୍ଥିତ ଥିଲେ ।
ଧରଣୀଧର ବିଶ୍ୱ ବିଦ୍ୟାଳୟ ପରିସରଠାରେ ଆୟୋଜିତ “କେନ୍ଦୁଝରର ଜନଜାତି, ଜନ ସଂସ୍କୃତି ଓ ଐତିହ୍ୟ” ଶୀର୍ଷକ ଜାତୀୟ ପାଠଚକ୍ରର ଉଦ୍ଘାଟନ କରି ମାନ୍ୟବର ରାଷ୍ଟ୍ରପତି ଉଦ୍ବୋଧନ ଦେଇ ଜନଜାତି, ଜନସଂସ୍କୃତି ଓ ଐତିହ୍ୟ ଉପରେ ଅଧିକ ଗବେଷଣା ଜାରି ରଖିବାକୁ ଆହ୍ୱାନ ଜଣାଇଥିଲେ । ଉକ୍ତ ଜାତୀୟସ୍ତରୀୟ ପାଠଚକ୍ର ଉଦ୍ଘାଟନ କରି ନିଜର ଖୁସି ବ୍ୟକ୍ତ କରିବା ସହିତ ମାନ୍ୟବର ରାଷ୍ଟ୍ରପତି କହିଥିଲେ ଯେ ସେ ଆଜି ଗୋନାସିକାଠାରେ ଜନଜାତିମାନଙ୍କୁ ଆଗକୁ ଆଣିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏଥିପାଇଁ ସମସ୍ତେ ସହଯୋଗ କରିବା ଆବଶ୍ୟକ । ଉଦ୍ବୋଧନ ଛଳରେ ମାନ୍ୟବର ରାଷ୍ଟ୍ରପତି କହିଥିଲେ ଯେ ଏହି ପବିତ୍ର ଜିଲ୍ଲାରେ ବିପ୍ଳବୀ ଧରଣୀଧର ନାୟକଙ୍କ ଜନ୍ମ । ସେହି ମହାପୁରୁଷଙ୍କ ନାମରେ ନାମିତ ଧରଣୀଧର ବିଶ୍ୱବିଦ୍ୟାଳୟରେ ମହାନ ଆଦିବାସୀ ନେତା ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସୁଯୋଗ ପାଇଛି ବୋଲି କହିଥିଲେ । ମହାବିଦ୍ୟାଳୟ ପରିସରରେ ଜନଜାତିମାନଙ୍କର ପାରମ୍ପରିକ ପୋଷାକ, ଖାଦ୍ୟ, ନୃତ୍ୟ, ଗୀତ, ବାଦ୍ୟଯନ୍ତ୍ରକୁ ନେଇ ଆୟୋଜିତ ପ୍ରଦର୍ଶନୀ ତାଙ୍କୁ ଖୁବ୍ ଉତ୍ସାହିତ କରିଛି ବୋଲି କହିଥିଲେ । ୟୁ.ଜି. ଓ ପି.ଜି. ବିଭାଗରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜନଜାତି ଛାତ୍ରଛାତ୍ରୀଙ୍କ ସଂଖ୍ୟା ବେଶ୍ ଉତ୍ସାହପ୍ରଦ ବୋଲି କହିଥିଲେ । ନୂଆ ଜ୍ଞାନକୌଶଳ ସହିିତ ଯୋଡିହେବା ସହିତ ନିଜର ମୂଳକୁ ଭୁଲି ନଯିବାକୁ ପରାମର୍ଶ ଦେଇଥିଲେ । ନିଜର ପିଲାଦିନ କେବେ ଭୁଲିବା ଉଚିତ୍ ନୁହେଁ । ପ୍ରାକୃତିକ ଶୋଭାସୌନ୍ଦର୍ଯ୍ୟ ଭିତରେ କେନ୍ଦୁଝର ଏହି କର୍ମଶାଳାରେ ବିଶିଷ୍ଠ ଅତିଥି ଭାବେ ଓଡିଶାର ମାନ୍ୟବର ରାଜ୍ୟପାଳ ତଥା କୁଳାଧିପତି ଶ୍ରୀଯୁକ୍ତ ରଘୁବର ଦାସ ଉଦ୍ବୋଧନ ଦେଇଥିଲେ । ଏତଦ୍ବ୍ୟତୀତ ସମ୍ମାନନୀୟ ଅତିଥି ଭାବେ ଓଡିଶାର ବିଦ୍ୟାଳୟ ଓ ଗଣଶିକ୍ଷା, ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ବକ୍ତବ୍ୟ ପ୍ରଦାନ କରିଥିଲେ । ଧରଣୀଧର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ପାଠଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟ ତରଫରୁ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାପାଳ ବିଶାଲ ସିଂହ, ଏସ୍.ପି. ନିତିନ କୁଶଲକରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମାନ୍ୟବର ରାଷ୍ଟ୍ରପତିଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା ।