ନୂଆଦିଲ୍ଲୀ : ଗୁରୁଦିବସରେ ଗୁରୁଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେପ୍ଟେମ୍ବର 5 ତାରିଖ ଦିନ ବିଜ୍ଞାନ ଭବନଠାରେ 75ଜଣ ମନୋନୀତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର 2023 ପ୍ରଦାନ କରିବେ ।
ଏନେଇ ଶନିବାର ଦିନ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ବୟାନରେ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର 5 ତାରିଖ ଦିନ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀକୁ ଜାତୀୟ ଶିକ୍ଷକ ଦିବସ ଭାବେ ପାଳନ କରାଯାଇଥାଏ । ଜାତୀୟ ଶିକ୍ଷକ ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଦେଶର ଶିକ୍ଷକମାନଙ୍କ ଅଦ୍ୱିତୀୟ ଯୋଗଦାନର ଉତ୍ସବ ପାଳନ କରିବା ଏବଂ ଯେଉଁ ଶିକ୍ଷକମାନେ ନିଜ ପ୍ରତିବଦ୍ଧତା ଓ ସମର୍ପଣ ମାଧ୍ୟମରେ କେବଳ ଶିକ୍ଷାର ଗୁଣବତ୍ତା ବୃଦ୍ଧି ନୁହେଁ, ନିଜ ଛାତ୍ରମାନଙ୍କ ଜୀବନକୁ ସମୃଦ୍ଧ କରି ଗଢି ତୋଳିଛନ୍ତି ସେହି ଶିକ୍ଷକଙ୍କୁ ସମ୍ମାନିତ କରିବା ।
ଶିକ୍ଷକମାନଙ୍କୁ ପ୍ରତ୍ୟେକ ପୁରସ୍କାରରେ ଯୋଗ୍ୟତା ପ୍ରମାଣପତ୍ର, ନଗଦ 50ହଜାର ଟଙ୍କା ପୁରସ୍କାର ସହ ଏକ ରୌପ୍ୟ ପଦକ ପ୍ରଦାନ କରାଯିବ । ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ କରିବାର ସୁଯୋଗ ପାଇବେ ।