
ଗଞ୍ଜାମ, ୨୭ ଅପ୍ରେଲ – ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସିର ନୂଆଫାସୁଳା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ହିଂସାକାଣ୍ଡ । ୩ରୁ ୪ ଜଣ ବ୍ୟକ୍ତି ଏକ କାର୍ ଯୋଗେ ବିଳମ୍ବିତ ରାତିରେ ଆସି ଲୋକଙ୍କୁ ଭୟଭିତ କରିବା ପାଇଁ ଘଟଣାସ୍ଥଳରେ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବା ସହ ୧୧ ନଂ ୱାର୍ଡ଼ର କାଉନସିଲର ନାରାୟଣ ବାରିକଙ୍କ ଘରେ ପଶି ତାଙ୍କ ସାନଭାଇ କାହ୍ନା ବାରିକଙ୍କୁ ହକି ଷ୍ଟିକ୍ ରେ ମାଡ ମାରି ଗୁରୁତର କରିଛନ୍ତି ଏବଂ ଫେରିବା ବେଳେ ପୁଣି ଏକ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ । ଏଥି ସହ ବାସଭବନ ସମ୍ମୁଖରେ ରଖାଯାଇଥିବା ନାରାୟଣଙ୍କ କାର୍ କୁ ଭଙ୍ଗାରୁଜା କରିଛନ୍ତି । ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳ ସ୍ତବ୍ଧ ହୋଇଯାଇଛି । କାଉନସିଲର ଶ୍ରୀ ବାରିକ ଏନେଇ ଖଲ୍ଲିକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତି କରି ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଚଳାଇଛି । ଆହତ କାହ୍ନାଙ୍କୁ ଚିକିତ୍ସା ନିମନ୍ତେ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତି କରାଯାଇଛି ।