ଚିଲିକା /ଭୁବନେଶ୍ୱର : ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭାର କାଳୁପଡାଘାଟ ରେଳଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ( ଭୁବନେଶ୍ୱର – ବେଙ୍ଗାଳୁରୁ )ର ରହଣି ଆଜିଠୁ ଆରମ୍ଭ ହେଇଛି । ଏହି ଅବସରରେ ପ୍ରଶାନ୍ତି ଏକ୍ସପ୍ରେସକୁ ଆଜି ଝଣ୍ଡା ଦେଖେଇ କାଳୁପଡାଘାଟ ରେଲଷ୍ଟେସନରୁ ରବାନା କରିଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବରିଷ୍ଠ ନେତା ପୃଥିବୀରାଜ ହରିଚନ୍ଦନ ଓ ରେଳ ବିଭାଗର ବରିଷ୍ଠ ଅଧିକାରୀ। କାଳୁପଡାଘାଟ ରେଳ ଷ୍ଟେସନରେ ରଣପୁର ଓ ଚିଲିକା ଅଞ୍ଚଳର ସାଧାରଣ ଜନତା ନିଜ ଗମନାଗମନ ପାଇଁ ନିର୍ଭର କିନ୍ତୁ ଏହି ଷ୍ଟେସନରେ ଅନେକ ଏକ୍ସପ୍ରେସ ଟ୍ରେନ ରହୁ ନ’ ଥିବା କାରଣରୁ ସ୍ଥାନୀୟ ଜନତା ଅନେକ ସମସ୍ୟା ଦେଇ ଗତିରୁଥିଲେ ଓ ଏକ୍ସପ୍ରେସ ଟ୍ରେନ ପାଇଁ ପୁରୀ ଓ ଖୋର୍ଦ୍ଧା ରୋଡ଼ ରେଳଷ୍ଟେସନରେ ନିର୍ଭର ଥିଲେ । ସ୍ଥାନୀୟ ଜନତାଙ୍କ ଏହି ସମସ୍ୟା ବିଷୟରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ସମ୍ବିତ ପାତ୍ର ଅବଗତ ହେବା ପରେ ସେ କାଳୁପଡାଘାଟ ରେଳ ଷ୍ଟେସନରେ ଅନେକ ଏକ୍ସପ୍ରେସ ଟ୍ରେନର ରହଣି ପାଇଁ ଉଦ୍ୟମ କରିଥିଲେ । ସେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମାର୍ଚ୍ଚ ମାସରେ ଦିଲ୍ଲୀରେ ଭେଟ କରି କାଳୁପଡାଘାଟ ରେଳଷ୍ଟେସନରେ ରଜ୍ୟରାଣୀ ଏକ୍ସପ୍ରେସ ଓ ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ଅନୁରୋଧ କରିଥିଲେ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସମ୍ବିତ ପାତ୍ରଙ୍କ ଅନୁରୋଧ ସ୍ବୀକାର କରି ଗତ ଜୁନ ମାସରେ ରାଜ୍ୟରାଣୀ ଟ୍ରେନର ରହଣି ପାଇଁ ସ୍ବୀକୃତି ଦେଇଥିବା ବେଳେ ଗତ ୧୧ ଅଗଷ୍ଟକୁ ସେ ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ସ୍ବୀକୃତି ଦେଇଥିଲେ । ପ୍ରଶାନ୍ତି ଏକ୍ସପ୍ରେସ କାଳୁପଡାଘାଟ ଷ୍ଟେସନରେ ରହଣି ଯୋଗୁଁ ଚିଲିକା ଓ ରଣପୁର ଅଂଚଳର ଜନତାଙ୍କ ଗମନାଗମନ ସରଳ ହେବା ସହିତ ଅଞ୍ଚଳରେ ପର୍ଯ୍ୟଟନ ଓ ଆର୍ଥିକ ଗତିବିଧିରେ ମଧ୍ୟ ବୃଦ୍ଧି ହେବ । ସମ୍ବିତ ପାତ୍ର ଏହି ବିଷୟରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପୁରୀ ଲୋକସଭାର ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ସେ ପ୍ରଚେଷ୍ଟା କରୁଛନ୍ତି । କାଳୁପଡାଘାଟ ଷ୍ଟେସନରେ ପ୍ରସାନ୍ତି ଏକ୍ସପ୍ରେସର ରହଣି ପାଇଁ ସ୍ଥାନୀୟବାସିନ୍ଦାଙ୍କ ଅନେକ ଦିନର ଦାବି ଥିଲା । ଆଜି ଏହାର ସମାଧାନ ହେଇଥିବାରୁ ସେ ରେଲ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରଶାନ୍ତି ଏକ୍ସପ୍ରେସର ରହଣି ପରେ ଆଜି ଚିଲିକା ଓ ରଣପୁରରେ ଖୁସିର ଲହରୀ ଖେଳିଯାଇଛି ।