ଭୁବନେଶ୍ୱର, 9 ଏପ୍ରିଲ – ଏନଏଚ-୫୫ର ଦୂରାବସ୍ଥା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି ବିଧାୟକ ତଥା ସମ୍ବଲପୁରର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ।

ସୋସିଆଲ ସାଇଟ୍ ଏକ୍ସରେ ପ୍ରଣବ ପ୍ରକାଶ ଲେଖିଛନ୍ତି ଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁର-କଟକ ଏନଏଚ-୫୫ର ଦୂରାବସ୍ଥା ଯୋଗୁଁ ୨୦୦ରୁ ଅଧିକ ଦୁର୍ଘଟଣାରେ ୪୦୦ରୁ ଅଧିକ ବହୁମୂଲ୍ୟ ଜୀବନ ଚାଲିଯାଇଛି । କାହା ପାଇଁ? କାହାର ଅପାରଗତା ଓ ସ୍ଥାଣୁତା ଯୋଗୁଁ ଏହା ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଆପଣ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ସାମାନ୍ୟ ରାସ୍ତା କାମଟିଏ ସାରିପାରିଲେ ନାହିଁ । କେଉଁ ମୁହଁ ନେଇ ଆପଣ ସମ୍ବଲପୁରବାସୀଙ୍କୁ ସାମ୍ନା କରିବେ । ଯାହାଙ୍କର ଜୀବନରେଖାକୁ ଆପଣ ବିପର୍ଯ୍ୟସ୍ତ କରି ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଭାବେ ଆପଣଙ୍କର ୧୦ ବର୍ଷର ବିଫଳତାର ଚିଠା ସମ୍ବଲପୁରବାସୀଙ୍କ ପାଖରେ ଅଛି । ଜନସାଧାରଣ ଆପଣଙ୍କୁ ଉଚିତ୍ ଜବାବ ଦେବେ ବୋଲି ଉଲ୍ଲେଖ କରିଛନ୍ତି ପ୍ରଣବ ପ୍ରକାଶ ।