ଭୁବନେଶ୍ୱର, 21 ସେପ୍ଟେମ୍ବର ବରିଷ୍ଠ ବିଜେ଼ଡି ବିଧାୟକ ପ୍ରମିଳା ମଲ୍ଲିକ ଗୁରୁବାର ଦିନ ବିଧାନସଭାର ବାଚସ୍ପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ବିଧାନସଭା ଯାଇ ବିଧାନସଭା ସଚିବଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛି । ପ୍ରମିଳାଙ୍କ ପ୍ରାର୍ଥିପତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବକ ଓ ମନ୍ତ୍ରୀ ନୀରଂଜନ ପୂଜାରୀ ସମର୍ଥକ ରହିଥିଲେ । ସେ ନାମାଙ୍କନ ପତ୍ର ଦାଖଲ କରିବା ବେଳେ ଅନେକ ମନ୍ତ୍ରୀ ଉପସ୍ଥିତ ଥିଲେ ।
ନାମାଂକନ ପତ୍ର ଦାଖଲ କରିବା ପୂର୍ବରୁସେ ରାଜସ୍ବ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଯଦି ଆଜି ଆଉ କେହି ପ୍ରାର୍ଥିପତ୍ର ଦାଖଲ ନ କରନ୍ତି ତେବେ ସର୍ବସମ୍ମତି କ୍ରମେ ପ୍ରମିଳାଙ୍କୁ ବାଚସ୍ପତି ଘୋଷଣା କରାଯିବ । ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ।
ଗତକାଲି ବିଜେଡି ତରଫରୁ ତାଙ୍କୁ ପ୍ରାର୍ଥୀ ଭାବେ ବିଧିବଦ୍ଧ ଘୋଷଣା କରାଯାଇଥିଲା। ଯେହେତୁ ଆଉ କୌଣସି ଦଳ ପ୍ରାର୍ଥୀ ଦେଉନାହାନ୍ତି, ତେଣୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି। ଶ୍ରୀମତୀ ମଲ୍ଲିକ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ। ଆସନ୍ତା ୨୨ ତାରିଖରୁ ହେବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନ ତାଙ୍କରି ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ।