ଭୁବନେଶ୍ୱର, 21 ସେପ୍ଟେମ୍ବର ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବିଜେଡି ବିଧାନସଭା ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଜେଡି ଉପସଭାନେତ୍ରୀ ଶ୍ରୀମତୀ ମଲ୍ଲିକ ଆସନ୍ତାକାଲି (ଗୁରୁବାର)ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଶୁକ୍ରବାର ପୂର୍ବାହ୍ନ ୯ଟା ୩୦ରେ ବିଧାନସଭାରେ ବାଚସ୍ପତି ନିର୍ବାଚନ ହେବାର ଅଛି । ସେହିଦିନ ଠାରୁ ବିଧାନସଭା ଅଧିବେଶନ ମଧ୍ୟ ଆରମ୍ଭ ହେବ । ତେବେ ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ଦେଉନଥିବାରୁ ସେ ନିଦ୍ୱନ୍ଦ୍ୱରେ ବାଚସ୍ପତି ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ଏହା ନିଶ୍ଚିତ ହେଲେ ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ମହିଳା ବାଚସ୍ପତି ହେବାର ସୌଭାଗ୍ୟ ଅର୍ଜନ କରିବେ ଶ୍ରୀମତୀ ମଲ୍ଲିକ ।
ପ୍ରାର୍ଥୀ ହେବା ପରେ ପ୍ରତିକ୍ରିୟାରେ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ବହୁତ ଖୁସି ଲାଗୁଛି । ମୁଖ୍ୟମନ୍ତ୍ରୀ ମୋ ଉପରେ ଭରସା ରଖିଥିବାରୁ କୃତଜ୍ଞ । ମହିଳା ବାଚସ୍ପତି ପ୍ରାର୍ଥୀ କରି ମହିଳାଙ୍କ ଦକ୍ଷତା ପ୍ରମାଣ କରିଛନ୍ତି । ନିରପେକ୍ଷ ଭାବେ ସବୁ ଦଳଙ୍କୁ ନେଇ ଗୃହ ଚଳାଇବି । ବିଧାନସଭାକୁ ସୁରୁଖୁରରେ ଚଳାଇବା ପାଇଁ ସବୁ ଦଳ ସହ ଆଲୋଚନା କରିବି ।
ସୂଚନାଯୋଗ୍ୟ ଯେ ଶ୍ରୀମତୀ ମଲ୍ଲିକ ଗତ ୨୦୦୦ ମସିହାରୁ ଯାଜପୁର ଜିଲ୍ଲାର ବିଞ୍ଝାରପୁର ଆସନରୁ କ୍ରମାଗତ ଭାବେ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି । ପ୍ରଥମଥର ପାଇଁ ୧୯୯୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ଉଲ୍ଲେଖନୀୟ ଯେ ଗତ ଜୁନ୍ ୩ ତାରିଖରେ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠୁ ବାଚସ୍ପତି ପଦ ଖାଲି ପଡ଼ିଛି ।