କାଠମାଣ୍ଡୁ : ନେପାଳ ଭକ୍ତପୁରରେ ଥିବା ବାଳ ସୁଧାର ଗୃହରୁ (ଜେଲ) ଫେରାର୍ ହୋଇଯାଇଥିବା 212 ନାବାଳକ କଏଦୀଙ୍କ ମଧ୍ୟରୁ 194ଜଣଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । 24 ଘଣ୍ଟା ପୂର୍ବରୁ ବାଳ ସୁଧାର କେନ୍ଦ୍ରର କବାଟ ତାଡି 212ଜଣ ବିଚାରଧୀନ କଏଦୀ ଫେରାର୍ ହୋଇଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ 194ଜଣଙ୍କୁ ଧରିଛି ପୋଲିସ । ଏବେ ବି 18ଜଣଙ୍କୁ ପୋଲିସ ଖୋଜୁଥିବା ସୂଚନା ମିଳିଛି ।
ଭକ୍ତପୁର ଡିଏସପି ବସନ୍ତ ପାଠକଙ୍କ ସୂଚନା ମୁତାବକ ଭକ୍ତପୁର ଓ କାଠମାଣ୍ଡୁରୁ ସେମାନଙ୍କୁ ଧରାଯାଇ ପୁଣି ଥରେ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଜଣେ କଏଦୀଙ୍କ ମୃତ୍ୟୁ ପରେ ବାଳ ସୁଧାର ଗୃହରେ ହଙ୍ଗାମା ହୋଇଥିଲା । କଏଦୀ ଓ ସୁରକ୍ଷାକର୍ମୀମାନେ ହାତାହାତି ହୋଇଥିଲେ । ଏହି ସଂଘର୍ଷରେ 12ଜଣ ପୋଲିସ ଓ 10ଜଣ ଶିଶୁ କଏଦୀ ଆହତ ହୋଇଥିଲେ । ତେବେ ଏହି ସଂଘର୍ଷ ସମୟରେ ନାବାଳକ କଏଦୀମାନେ ଫେରାର ହୋଇଯାଇଥିଲେ ।
ଅନ୍ୟପଟେ ଏହି କେନ୍ଦ୍ରର କିଛି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜେଲ ଭାଙ୍ଗି ଫେରାର୍ ହେଉଥିବା କଏଦୀଙ୍କ ହାତରେ ବାଡି ରହିଛି । ପୋଲିସର ନିର୍ଯାତନା ଯୋଗୁ ତାଙ୍କ ସାଥୀଙ୍କର ମୃତ୍ୟୁ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ନିର୍ଯାତନାର ବିରୋଧ କରିବାରୁ ପୋଲିସ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କଏଦୀ ମୃତ୍ୟୁର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତଦନ୍ତ ଆରମ୍ଭ ହୋଇଥିବା ନେଇ ଭକ୍ତପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।