ନୂଆପଡ଼ା : ସୋସିଆଲ ମିଡ଼ିଆରେ ହିନ୍ଦୁ ଦେବଦେବୀଙ୍କୁ ନେଇ ଆପତ୍ତିଜନକ ପୋଷ୍ଟକୁ ନେଇ ଥାନା ଖଡ଼ିଆଳ ଥାନା ଓ ଏନଏସି କାର୍ଯ୍ୟାଳୟ ଘେରାଉ କଲେ ବିଭିନ୍ନ ହିନ୍ଦୁ ସଂଗଠନ । ଖଡ଼ିଆଳ ସହରର ମହମ୍ମଦ ଆସିଫ ରାଜୁ ନାମକ ଜଣେ ମୁସଲିମ ବ୍ୟକ୍ତି ଫେସବୁକରେ ହିନ୍ଦୁ ବିରୋଧି ପୋଷ୍ଟ କରିଥିବା ଅଭିଯୋଗ କରି ବିଭିନ୍ନ ହିନ୍ଦୁ ସଂଗଠନର ଶତାଧିକ ସଦସ୍ୟ ଖଡ଼ିଆଳ ଥାନା ଘେରାଉ କରିବା ସହ ଲିଖିତ ଅଭିଯୋଗ କରି ଉକ୍ତ ଯୁବକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ସେପଟେ ଉକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ଖଡ଼ିଆଳ ପୋଲିସ । ଅଭିଯୋଗ ପଞ୍ଜିକରଣ ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଖଡ଼ିଆଳ ଏସଡିପିଓ ଅରୂପ ଅଭିଷେକ ବେହେରା । ପରେ ଉକ୍ତ ବ୍ୟକ୍ତି ଖଡ଼ିଆଳ ଏନଏସିରେ ଆଉଟ ସୋର୍ସିଙ୍ଗରେ ଜବ କରୁଥିବାରୁ ତାଙ୍କୁ ଚାକିରିରୁ ବହିଷ୍କାର ଦାବିରେ ଏନଏସି ଘେରାଉ କରି ନଗରପାଳଙ୍କୁ ଦାବିପତ୍ର ଦେଇଥିଲେ ହିନ୍ଦୁ ସଂଗଠନ । ନିୟମ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ସହ ଶାନ୍ତି ବଜାୟ ରଖିବାକୁ ଆବେଦନ କରିଛନ୍ତି ନଗରପାଳ ଉଜ୍ଜଳ ଗୁପ୍ତା ।