ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅଧୀନ କୁମ୍ଭାରୀ ସ୍ଥିତ କାଲିକ୍ଷେତ ପତ୍ରା କାଳୀଡୁଙ୍ଗୁରି ଜଙ୍ଗଲରେ ଜଣେ ବାରାହା ଶିକାରୀ ବିଦ୍ୟୁତ ସଂଯୋଗ ଫାଶରେ ପଡି ପ୍ରାଣ ହରାଇଥିବା ବେଳେ ତାର ଶବ ଗାଏବକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଏହାର ୪୮ ଘଣ୍ଟା ପରେ ପୋଲିସ ଶବକୁ ଠାବ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ମେଡିକାଲକୁ ପଠାଇଥିଲା । ପରେ ପରିବାର ଲୋକଙ୍କୁ ପୋଲିସ ଶବ ହସ୍ତାନ୍ତର କରିଥିଲେ । ଏ ସଂକ୍ରାନ୍ତରେ ଥାନା କେଶ ନଂ ୨୭୬/୨୩ରେ ଏକ ମାମଲା ରୁଜ୍ଜୁ କରି ଗିରଫ ଅଭିଯୁକ୍ତକୁ ସଇଁତଲା କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜାମିନ ନାମାଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଶିକାରୀର ନାମ ଲୋକନାଥ ବାଗ (୨୮ ), ଗ୍ରାମ ଧୂମାମରା, କୁମ୍ଭାରୀ ବୋଲି ଜଣାପଡିଛି ।
ପ୍ରକାଶ ଯେ, ଗତ ୧୬ ତାରିଖ ସନ୍ଧ୍ୟା ସମୟରେ ଲୋକନାଥ ବାଗ ଓ ତାର ୨ ଜଣ ସାଥି ବିଦ୍ୟୁତ ସଂଯୋଗ କରିଥିଲେ । ଏହି ସମୟରେ ଜବଦୁ ଓ ତାର ସମ୍ପର୍କୀୟ ଭଣଜା ଗେଥଲ କଠାର ସହିତ ଜଙ୍ଗଲ କାଳୀକ୍ଷେତ ସ୍ଥିତ କାଳୀଡୁଙ୍ଗୁରି ପତ୍ରା ଜଙ୍ଗଲକୁ ବାରାହା ଶିକାର କରିବା ପାଇଁ ଯାଇଥିଲେ । ଏହି ସମୟରେ ପୂର୍ବରୁ ଅନ୍ୟ ଜଣେ ଶିକାରୀ ୧୧ କେଭି ଭୋଲଟ୍ ବିଦ୍ୟୁତ ସଂଯୋଗ କରି ବରାହ ପାଇଁ ଫାଶ ଲଗାଇଥିଲେ । ଏହି ସମୟରେ ବାରାହା ଫାଶରେ ପଡି ଜବଦୁ ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବୋଲି ଲୋକନାଥ ପୋଲିସ ଆଗରେ ପ୍ରକାଶ କରିଥିଲା । ପରେ ଘଟଣା ସମ୍ପର୍କରେ ଗେଥଲ ପରିବାର ଲୋକଙ୍କୁ ଖବର ଜଣାଇବା ପରେ ପରିବାର ଲୋକେ ପରଦିନ ଅର୍ଥାତ ୧୭ ତାରିଖ ସକାଳୁ ଶବ ପଡ଼ିଥିବା ଘଟଣାସ୍ଥଳକୁ ପହଂଚିଥିଲେ । କିନ୍ତୁ, ଘଟଣାସ୍ଥଳରେ ଶବ ଗାଏବ ହୋଇଯାଇଛି ବୋଲି ଜବଦୁ ର ଶଳା ଶ୍ରୀପତି ପୋଢ଼ ପୋଲିସ ଆଗରେ ପ୍ରକାଶ କରିଥିଲା । ଅନ୍ୟପଟେ ଜବଦୁର ପତ୍ନୀ ଡାଳିମ୍ବ ବଗର୍ତ୍ତି ମୋ ସ୍ଵାମୀ ଜଙ୍ଗଲ ଆଡେ ଯାଉଛି କହି ଆଉ ରାତିରେ ଘରକୁ ଫେରି ନ ଥିଲେ ବୋଲି ସଇଁତଲା ଥାନାରେ ଅଭିଯୋଗ କରିଥିଲେ । ଗତ ୧୮ ତାରିଖ ଘଟଣାସ୍ଥଳରେ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ଵାବଧାନରେ ଥାନା ଏସଆଇ ଆଲୋକ ପ୍ରସାଦ ଭୋଇ, ଏଏସଆଇ ଲଷ୍ମଣ ମହାନ୍ତି, ଅରକ୍ଷିତ ନାୟକ ଓ ସଦଳବଳେ ପହଂଚି ଜଙ୍ଗଲ ଭିତରକୁ ପଶି ଦୀର୍ଘ ସମୟ ଧରି ଖୋଜା ଖୋଜି କଲା ପରେ ସନ୍ଧ୍ୟାରେ ଶବ ଠାବ କରିବାରେ ପୋଲିସ ସଫଳ ହୋଇଥିଲା । ଏ ନେଇ ସଇଁତଲା ଆଇଆଇସି ଶ୍ରୀ ସାହୁଙ୍କୁ ପଚାରିବାରୁ ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଛନ୍ତି । ଏ ସମ୍ପର୍କରେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିବାବେଳେ ଅନ୍ୟମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପ୍ରକାଶ କରିଥିଲେ । ଉକ୍ତ ମାମଲାକୁ ଏସଆଇ ସଂଗୀତ ବେକ ତଦନ୍ତ କରୁଥିବା ଜଣାପଡ଼ିଛି ।