ଚମ୍ପୁଆ, ୦୧ ଅକ୍ଟୋବର : ଚମ୍ପୁଆ ଡ଼ାକ୍ତରଖାନା ରେ ଶବକୁ ଛାଡ଼ି ସ୍ତ୍ରୀ ଓ ଝିଅ ଫେରାର। ଚାରି ଦିନ ହେଲାଣି ଶବ ର ଠିକଣା ଖୋଜୁଛି ଚମ୍ପୁଆ ପୋଲିସ। ଖୋଜି ଖୋଜି ନୟାନ୍ତ ହେଲାଣି ମାତ୍ର ଶବ ର ଠିକଣା ମିଳୁନାହିଁ। ଯାହା ଏବେ ଚମ୍ପୁଆ ପୋଲିସ ର ମୁଣ୍ଡବ୍ୟଥା ର କାରଣ ସାଜିଛି । ମିଳିଥିବା ଖବର ଅନୁସାରେ ଗତ ଗୁରୁବାର ଦିନ ଚମ୍ପୁଆ ନିକଟବର୍ତ୍ତୀ ଝାଡଖଣ୍ଡ ଅଞ୍ଚଳ ର ଜଣେ ଯକ୍ଷ୍ମା ରୋଗୀ ଙ୍କୁ ନେଇ ତାଙ୍କର ସ୍ତ୍ରୀ ଓ ଝିଅ ଚମ୍ପୁଆ ଡାକ୍ତରଖାନା କୁ ଆସିଥିଲେ । ଡ଼ାକ୍ତରଖାନା ରେଜିଷ୍ଟର ରେ ରୋଗୀଙ୍କ ପରିଚୟ ଝାଡଖଣ୍ଡ ପଶ୍ଚିମ ସିଂ ଭୂମ ଜଗନ୍ନାଥପୁର ଗ୍ରାମ ର ସୁରଜ ଦେଓଗାମ, ପିତା ପାରିଖ ଦେଓଗାମ ଏଣ୍ଟ୍ରି କରାଯାଇଥିବାବେଳେ ଚିକିତ୍ସିତ ଅବସ୍ଥା ରେ ସେହିଦିନ ସକାଳ ୯.୪୦ ମିନିଟ୍ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ସୁରଜଙ୍କର ମୃତ୍ୟୁ ପରେ ଡାକ୍ତରଖାନାରେ ତାଙ୍କର ମୃତଦେହ କୁ ଛାଡି ସାଙ୍ଗରେ ଆସିଥିବା ସ୍ତ୍ରୀ ଓ ଝିଅ ଫେରାର ହୋଇଯାଇଥିଲେ । ଦିନ ସାରା ଡାକ୍ତରଖାନା ରେ ଶବ ପଡ଼ିରହିବା ପରେ ଚମ୍ପୁଆ ପୋଲିସ ଖବର ପାଇ ଶବ ର ଠିକଣା ଖୋଜି ଖୋଜି ଜଗନ୍ନାଥପୁର ଯାଏଁ ଯାଇଥିଲେ ହେଁ କୌଣସି ଖୋଜ ଖବର ନ ପାଇବାରୁ ଶବଟିକୁ ଯୋଡ଼ା ସ୍ଥିତ ଶବଗୃହ କୁ ପଠାଇ ଦେଇଥିଲା । ଇତି ମଧ୍ୟରେ ଚାରି ଦିନ ବିତିବାକୁ ବସିଥିବା ବେଳେ ଶବ ର ନା ଠିକଣା ମିଳୁଛି ନା ଶବ ସମ୍ପର୍କୀୟ ସ୍ତ୍ରୀ ଓ ଝିଅ ର ଠିକଣା । ଏହି ଘଟଣା ଚମ୍ପୁଆ ଅଞ୍ଚଳରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।