ଚିତ୍ତୋଡଗଡ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଚିତ୍ତୋଡଗଡର ସାମ୍ବଲିୟା ସେଠ ମନ୍ଦିରରେ ଦର୍ଶନ କରିଛନ୍ତି । ଏହାପରେ ଭିସି ଜରିଆରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ରାଜସ୍ଥାନର ସଂସ୍କୃତି ବୀରତା, ବୈଭବ ଏବଂ ବିକାଶକୁ ଏକ ସଙ୍ଗରେ ନେଇ ଆଗକୁ ବଢିବା ଶିଖାଇଥାଏ । ରାଜସ୍ଥାନରେ ଅତୀତର ଐତିହ୍ୟ, ବର୍ତ୍ତମାନର ସାମର୍ଥ୍ୟ ଏବଂ ଭବିଷ୍ୟତର ସମ୍ଭାବନା ରହିଛି ।
ଜନସଭା ପୂର୍ବରୁ ମନ୍ଦିର ପରିସରରେ ଏକ ଛୋଟ ଲୋକାର୍ପଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି କହିଥିଲେ ଯେ, ବାପୁଜୀ ସର୍ବସ୍ପର୍ଶୀ ବିକାଶର ସପକ୍ଷରେ ଥିଲେ । ଆଜି ଦେଶର ପ୍ରାଥମିକତା ହେଉଛି ବଞ୍ଚିତ ଲୋକଙ୍କ ବିକାଶ କରିବା । ବିଭିନ୍ନ ଯୋଜନା କଥା ଉଠାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜସ୍ଥାନର ଏହି ବିକାଶମୂଳକ ପ୍ରକଳ୍ପଗୁଡ଼ିକ ସାଧାରଣ ଲୋକଙ୍କ ସୁବିଧା ବୃଦ୍ଧି କରିବ ।
ଗ୍ୟାସ ଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ମେହସାନା-ଭଟିଣ୍ଡା-ଗୁରୁଦାସପୁର ଗ୍ୟାସ ପାଇପଲାଇନକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ପ୍ରାୟ 4500 କୋଟି ଟଙ୍କା ବିନିମୟରେ ଏହି ପାଇପଲାଇନର ନିର୍ମାଣ କରାଯାଇଛି । ଆବୁ ରୋଡର ଏଚପିସିଏଲର ଏଲପିଜି ପ୍ଲାଣ୍ଟକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାରଖାନା ବର୍ଷକୁ 86 ଲକ୍ଷ ସିଲିଣ୍ଡର ବଟଲିଂ ଏବଂ ବିତରଣ କରିବ । ଏହାଯୋଗୁ ସିଲିଣ୍ଡର ପରିବହନ କରୁଥିବା ଟ୍ରକ ଯାତ୍ରା ସଂଖ୍ୟାକୁ ବର୍ଷକୁ 0.75 ମିଲିୟନ କିଲୋମିଟର ହ୍ରାସ କରାଯାଇପାରିବ । ଏବଂ ପ୍ରତିବର୍ଷ କାର୍ବନ ଡାଇଅକ୍ସାଇଡ ନିର୍ଗମନକୁ ପ୍ରାୟ 0.5 ନିୟୁତ ଟନ ହ୍ରାସ କରିବାରେ ସାହାଯ୍ୟ କରିବ। ଆଇଓସିଏଲର ଆଜମେର ବଟଲିଂ ପ୍ଲାଣ୍ଟର ଅତିରିକ୍ତ ଗୋଦାମ ଘରକୁ ମଧ୍ୟ ଲୋକାର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ରାଜପଥ-12ର ଦରାହ-ଝାଲାୱାଡ-ତିନଧାର ଖଣ୍ଡରେ 4ଲେନ ବିଶିଷ୍ଟ ରାସ୍ତାର ଲୋକାର୍ପଣ କରିଛନ୍ତି । ଏହାର ନିର୍ମାଣ ପାଇଁ ପ୍ରାୟ 1480 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏହି ରାସ୍ତା ଯୋଗୁ କୋଟା ଓ ଝାଲାୱାଡ ଜିଲ୍ଲାରୁ ବିଭିନ୍ନ ସାମଗ୍ରୀର ପରିବହନ ସରଳ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସୱାଇ ମାଧୋପୁରରେ ରେଲୱେ ଓଭର ବ୍ରିଜକୁ 2ଲେନରୁ 4ଲେନ ଚଉଡା କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଯୋଜନା ଯୋଗୁ ରାସ୍ତାରେ ଭିଡ ସମସ୍ୟାରୁ ମୁକ୍ତି ମିଳିବ । ଚିତ୍ତୋଡଗଡ-ନିମଚ ରେଲୱେ ଲାଇନ ଏବଂ କୋଟା-ଚିତ୍ତୋଡଗଡ ବିଦ୍ୟୁତକୃତ ରେଲୱେ ଲାଇନର ଦୋହରିକରଣରେ ଜଡିତ ଯୋଜନାର ମଧ୍ୟ ଲୋକାର୍ପଣ କରିଛନ୍ତି ପିଏମ ମୋଦି । 650କୋଟିରୁ ଅଧିକ ଟଙ୍କା ବିନିମୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି । ଏହା ଯୋଗୁ ରେଲୱେର ମୂଳଦୁଆ ଆହୁରି ସୁଦୃଢ ହୋଇଛି । ଏବଂ ଏହା ରାଜସ୍ଥାନର ପର୍ଯ୍ୟଯନ ଶିଳ୍ପକୁ ବୃଦ୍ଧି କରିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଦେଶ ଦର୍ଶନ ଯୋଜନାରେ ନାଥଦ୍ୱାରରେ ବିକଶିତ ପର୍ଯ୍ୟଟନ ସୁବିଧାଗୁଡିକର ଲୋକାର୍ପଣ କରିଛନ୍ତି । ନାଥଦ୍ୱାର ହେଉଛି ସନ୍ଥ ବଲ୍ଳଭାଚାର୍ଯ୍ୟଙ୍କ ଦ୍ୱାରା ପ୍ରଚାରିତ ପୁଷ୍ଟି ମାର୍ଗର ଲକ୍ଷ ଲକ୍ଷ ଅନୁଗାମୀମାନଙ୍କ ପାଇଁ ବିଶ୍ୱାସର ମୁଖ୍ୟ କେନ୍ଦ୍ର । ନାଥଦ୍ୱାରରେ ଏକ ଆଧୁନିକ ପର୍ଯ୍ୟଟନ ବ୍ୟାଖ୍ୟା ଏବଂ ସାଂସ୍କୃତିକ କେନ୍ଦ୍ର ବିକଶିତ କରାଯାଇଛି । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଟାରେ ଭାରତୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ସଂସ୍ଥାନର ସ୍ଥାୟୀ କ୍ୟାମ୍ପସର ମଧ୍ୟ ଲୋକାର୍ପଣ କରିଛନ୍ତି ।