
କୋଳକାତା, 6 ମାର୍ଚ୍ଚ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ 15,400 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ରେଳକୁ ସବୁଜ ପତାକା ଦେଖାଇ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ପିଏମ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାଙ୍କ ସହ ଏହି ଟ୍ରେନରେ ଯାତ୍ରା ମଧ୍ୟ କରିଥିଲେ । ଗଙ୍ଗା ନଦୀର ତଳେ ପ୍ରସ୍ତୁତ କରାଯାଇଥିବା ଇଷ୍ଟ ୱେଷ୍ଟ ମେଟ୍ରୋ ପ୍ରକଳ୍ପରେ ଏହା ପ୍ରଥମ ମେଟ୍ରୋ ଟ୍ରାକ ଅଟେ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 36 ସେକେଣ୍ଡର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି ଯେ, ସେ ମେଟ୍ରୋ ଟ୍ରେନରେ ପିଲାଙ୍କୁ ଆଖପାଖରେ ବସିବାକୁ କହୁଛନ୍ତି । ଏହି ଅବସରରେ ପିଏମ ମୋଦି ପିଲାଙ୍କ ସହ କଥା ହେଉଛନ୍ତି । ଯାତ୍ରା ସମୟରେ ପିଏମ ମୋଦି ମେଟ୍ରୋ ଷ୍ଟାଫଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ମେଟ୍ରୋରେ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର ଓ ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଉପସ୍ଥିତ ଅଛନ୍ତି ।