ଜାକର୍ତ୍ତା, 7 ସେପ୍ଟେମ୍ବର :ଇଣ୍ଡୋନେସିଆର ଜାକର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ସକାଳେ ଏସିଆନ-ଭାରତ ସମ୍ମିଳନୀରେ ଯୋଗ ଦେବାକୁ ପିଏମ ମୋଦି ଇଣ୍ଡୋନେସିଆର ରାଜଧାନୀରେ ପହଞ୍ଚିଥିଲେ । ଏହି ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତ ଓ ଏସିଆନ ଦେଶ ମଧ୍ୟରେ ସହଯୋଗ ଲଗାତର ଭାବେ ବଢିଚାଲିଛି ଏବଂ ଆମକୁ ପ୍ରତି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ । ଏହି ଅବସରରେ ମୋଦି ୱାନ ଆର୍ଥ ୱାନ ଫ୍ୟାମିଲି ଆମର ମନ୍ତ୍ର କଥା ଦୋହରାଇଥିଲେ । ଭାରତର ଆକ୍ଟ ଇଷ୍ଟ ନୀତି ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ସମ୍ମିଳନୀରେ ଏସିଆନ ଓ ଭାରତର ସହଭାଗିତାର 4ଦଶନ୍ଧି ବିତିବାକୁ ନେଇ ଖୁସି ବ୍ୟକ୍ତ କରିବା ସହ ପିଏମ ମୋଦି ବେଶ୍ ଉତ୍ତମ ଭାବେ ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ବିଦୋଦୋଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହାର ଅଧ୍ୟକ୍ଷତା ପାଇଁ ତାଙ୍କୁ ଶୁଭକାମନା ଦେଇଥିଲେ ।
ଏହାପୂର୍ବରୁ ଜାକର୍ତ୍ତା ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପରେ ପ୍ରବାସୀ ଭାରତୀୟମାନେ ତାଙ୍କୁ ଜୋରଦାର ସ୍ୱାଗତ କରିଥିଲେ । ପ୍ରବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ହଲାଇ ପ୍ରବାସୀ ଭାରତୀୟଙ୍କ ଅଭିବାଦନ ସ୍ୱୀକାର କରିଥିଲେ । ଇଣ୍ଡୋନେସିଆ ସରକାରଙ୍କର ମନ୍ତ୍ରୀ ଆଇ ଗୁସ୍ତି ଆୟୁ ବିଣ୍ଟାଙ୍ଗ ଦାରମାଭତୀ ଔପଚାରିକ ଭାବେ ମୋଦିଙ୍କ ସ୍ୱାଗତ କରିଥିଲେ । ଏୟାରପୋର୍ଟରେ ଇଣ୍ଡୋନେସିଆର ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲେ ।