ଭୁବନେଶ୍ୱର : ରାଗିଂ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଓଡ଼ିଶା ସରକାର ଗୁରୁତର ସହ ପଦକ୍ଷେପ ନେବା ପାଇଁ ମଙ୍ଗଳବାର ଦିନ ର୍ୟାଗିଂ ଫ୍ରି କ୍ୟାମ୍ପସର ଏକ ପ୍ରତିନିଧି ମଣ୍ଡଳୀ ସହ ଆବାହକ ମୀର୍ ଅହମ୍ମଦ ଅଲ୍ଲୀଙ୍କ ନେତୃତ୍ୱରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ଆଲୋଚନା କରିବା ସହିତ ୬ ଦଫାଦାବିପତ୍ର ପ୍ରଦାନ କରିଛନ୍ତି ।
କଲେଜମାନଙ୍କରେ ଥିବା ଆଂଟି ର୍ୟାଗିଂ କମିଟିକୁ ଦୃଢ କାର୍ଯ୍ୟକ୍ଷମ କରାଇବା, ଓଡ଼ିଶା ପୋଲିସ୍ର ହ୍ୟୁମାନ ରାଇଟସ୍ ପ୍ରୋଟେକ୍ସନ ସେଲ୍ କାର୍ଯ୍ୟାଳୟରେ ୨୪ ଘଂଟିଆ ଦେୟମୁକ୍ତ ର୍ୟାଗିଂ ଫ୍ରି ଟୋଲ ନମ୍ବର ଘୋଷଣା କରିବା, ଷ୍ଟେଟ୍ ଲେବୁଲ ଆଂଟି ର୍ୟାଗିଂ ଟାସ୍କଫୋର୍ସ ଗଠନ କରିବା, କଲେଜ ଓ ହଷ୍ଟେଲ ଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଇବା, ବିଭିନ୍ନ ସମୟରେ ର୍ୟାଗିଂ ସମ୍ବନ୍ଧୀୟ ସଚେତନମୂଳକ କାର୍ଯ୍ୟକ୍ରମ କରାଯିବା ଏବଂ ବରିଷ୍ଠ ଓ କନିଷ୍ଠ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ କରିବାକୁ ଅଭିଯାନ ପକ୍ଷରୁ ଦାବି କରାଯାଇଛି ।
ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଘଟି ଚାଲିଥିବା ର୍ୟାଗିଂ ଓ ର୍ୟାଗିଂ ଜନିତ ମୃତ୍ୟୁ ଏକ ଚିନ୍ତାର ବିଷୟ ପାଲଟିଛି । ବିଗତ ଦିନମାନଙ୍କରେ ଭିସୁଟ୍, ଭୀମଭୋଇ, ବିଜେବି କଲେଜ ଭଳି ପ୍ରମୁଖ କଲେଜମାନଙ୍କରେ ଘଟିଥିବା ର୍ୟାଗିଂ ଗୁଡ଼ିକ ସାରା ରାଜ୍ୟ ପାଇଁ ଲଜ୍ଜାର ବିଷୟ ପାଲଟିଥିଲା । ଏବେ ସଦ୍ୟତମ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ, ପୁରୀରେ ଦ୍ୱିତୀୟ ବର୍ଷର ଛାତ୍ର ପ୍ରଥମ ବର୍ଷ ଛାତ୍ରର ଜୋର ଜବରଦସ୍ତ ନିଶ ଦାଢି କାଟିଦେବା ଓ ତଂଟି ଚିପିଦେବା ଘଟଣା ଯାହା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ଯାହା ଏକ ଚିନ୍ତାର ବିଷୟ ପାଲଟିଛି ।