ନୂଆଦିଲ୍ଲୀ, 20 ଅକ୍ଟୋବର : ଦିଲ୍ଲୀ ମଦ ନୀତି ମାମଲାରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ହାଇକୋର୍ଟଙ୍କ ଝଟ୍କା । ନିଜର ଗିରଫଦାରି ବିରୁଦ୍ଧରେ ଚାଲେଞ୍ଜ କରିଥିବା ପିଟିସନକୁ ଖାରଜ କରିଛନ୍ତି ହାଇକୋର୍ଟ । ଅକ୍ଟୋବର 19ରେ କୋର୍ଟ ମାମଲାର ରାୟ ସଂରକ୍ଷିତ ରଖିଥିଲେ ।
କୋର୍ଟ କହିଥିଲେ ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେଉଛି ଏକ ପ୍ରମୁଖ ଏଜେନ୍ସି । ରାଜନୈତିକ ଉଦ୍ଦେଶ୍ୟ ରଖି କାମ କରିବା ନେଇ ଏହା ଉପରେ ଆରୋପ ଲଗାଇବା ଦେଶର ଛବି ଉପରେ ପ୍ରଭାବ ପକାଇପାରେ । କୋର୍ଟ କହିଛନ୍ତି ଯେ, ରେକର୍ଡରେ ଏଭଳି କୌଣସି ତଥ୍ୟ ନାହିଁ, ଯେଉଁଥିରେ ଜଣାପଡିବ ଯେ, ସରକାରୀ ସାକ୍ଷୀ ଦିନେଶ ଅରୋଡା ଚାପରେ ବୟାନ ଦେଇଛନ୍ତି । ଶୁଣାଣି ସମୟରେ ସଞ୍ଜୟଙ୍କ ଜାମିନ ଆବେଦନକୁ ଇଡି ପକ୍ଷରୁ ବିରୋଧ କରାଯାଇଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଥିଲା ଯେ, ସଞ୍ଜୟ ଏବେ ନ୍ୟାୟିକ ହାଜତରେ ଅଛନ୍ତି । ଯାଞ୍ଚ ପରେ ହିଁ ତାଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀ ଅବକାରୀ ଘୋଟାଲା ଷଡଯନ୍ତ୍ରରେ ସେ ସାମିଲ ଥିଲେ ବୋଲି ଜଣାପଡିଥିଲା ।