ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟିର ସଂପାଦକ ତଥା ବିଶିଷ୍ଟ ଯୁବ ନେତା ସତ୍ୟସ୍ମିତ ମହାନ୍ତିଙ୍କ ଅକାଳ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୋମବାର ସକାଳେ ଶ୍ରୀ ପଟ୍ଟନାୟକଙ୍କ ସ୍ୱର୍ଗତ ମହାନ୍ତିଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଯାଇ ତାଙ୍କର ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ସ୍ୱର୍ଗତ ମହାନ୍ତିଙ୍କ ଧର୍ମପତ୍ନୀ, ପିତାମାତା ଓ ଶୋକାକୁଳ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ ।
ଏକ ଶୋକବାର୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ୱର୍ଗତ ମହାନ୍ତି କଂଗ୍ରେସ ଦଳର ଜଣେ ସୁସଂଗଠକ ଥିଲେ । ଦଳ ପକ୍ଷରୁ ତାଙ୍କୁ ଯେତେବେଳେ ଯେଉଁ ଦାୟୀତ୍ୱ ଦିଆଯାଇଛି ତାହାକୁ ସେ ନିଷ୍ଠାର ସହ ନିର୍ବାହ କରିଥାନ୍ତି । ସ୍ୱର୍ଗତ ମହାନ୍ତି ଜଣେ ସଚ୍ଚା କଂଗ୍ରେସୀ ଥିଲେ । ପୂର୍ବରୁ ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ସମ୍ପାଦକ, ପ୍ରଦେଶ ଯୁବ କଂଗ୍ରେସର ରାଜ୍ୟ ସଂପାଦକ ଭାବେ ସୂଚାରୁରୂପେ ତାଙ୍କର ଦାୟୀତ୍ୱ ନିର୍ବାହ କରିଥିଲେ । ସେ ମଧ୍ୟ ପିସିସି ସଭ୍ୟ ଥିଲେ । ତାଙ୍କର ବିୟୋଗ ଦଳ ପାଇଁ ଅପୂରଣୀୟ କ୍ଷତି । ଈଶ୍ୱର ସ୍ୱର୍ଗତ ଆତ୍ମାର ସଦ୍ଗତି ପ୍ରଦାନ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପ୍ରାର୍ଥନା କରିଛନ୍ତି । ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସ୍ୱର୍ଗତ ସତ୍ୟସ୍ମିତ ମହାନ୍ତିଙ୍କ ସ୍ମୃତିରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା ଏବଂ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରର୍ଥନା କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ସୁରେଶ କୁମାର ରାଉତରାୟ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ମିଶ୍ର, ମାନସ ଆଚାର୍ଯ୍ୟ, ଶ୍ରୀନିବାସ ରାଉତରାୟ ପ୍ରମୁଖ ସ୍ୱର୍ଗତ ମହାନ୍ତିଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।