ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ଆଜି ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଚତୁର୍ଥ ଦିନରେ କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।
ଏଥିପାଇଁ କଟକ ଜିଲ୍ଲାର ୮ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୮୬ କୋଟି ୫୦ ଲକ୍ଷ ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ବଡମ୍ବା, ଚୌଦ୍ୱାର-କଟକ, ବାଙ୍କୀ, ଆଠଗଡ, ନିଆଳି, କଟକ ସଦର, ସାଲେପୁର ଓ ମାହାଙ୍ଗା । ଏହିସବୁ ନିର୍ବାଚନମଣ୍ଡଳୀର ୩୭୩ଟି ଗ୍ରାମ ପଂଚାୟତରେ ୫୩୫୧ଟି ପ୍ରକଳ୍ପ ହେବ । ସେହିପରି କେନ୍ଦ୍ରାପଡା ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୨୪ କୋଟି ୫୦ ଲକ୍ଷ ଟଙ୍କା ମଂଜୁର ହୋଇଛି । ଏହିସବୁ ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ମହାକାଳପଡା, କେନ୍ଦ୍ରାପଡା, ପାଟକୁରା, ରାଜନଗର ଓ ଆଳି । ଏଥିରେ ୨୪୯ଟି ଗ୍ରାମପଂଚାୟତରେ ୩୩୫୩ ଟି ପ୍ରକଳ୍ପ କରାଯିବ ।
୫ଟି ସଚିବ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ସ୍ରୁଷ୍ଟି କରିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ, ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଶଶୀଭୂଷଣ ବେହେରା, ବିଧାୟକ ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲ, ବିଧାୟକ ଧୃବଚରଣ ସାହୁ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ସୌଭିକ୍ ବିଶ୍ୱାଳ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ଡ. ପ୍ରମୋଦ ମଲ୍ଲିକ, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିଧାୟକ ପ୍ରଶାନ୍ତ ବେହେରା, ବିଧାୟକ ପ୍ରତାପ ଜେନା, ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଂଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ ।
କଟକ ଜିଲ୍ଲାର ବଡମ୍ବା ଅଂଚଳରେ ସାତକୋଶିଆ ଜୈବ ବିବିଧତା ପର୍ଯ୍ୟଟନ କେନ୍ଦ୍ର ପାଇଁ ୯.୮୫ କୋଟି, ମା’ ପ୍ରଗଳା ପୀଠ ପାଇଁ ୫.୨୭ କୋଟି, ମା’ ଭଟ୍ଟାରିକା ପୀଠ ପାଇଁ ୮.୫୭ କୋଟି, ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଡାଏଲିସିସ୍ କେନ୍ଦ୍ର ପାଇଁ ୧୫.୬୬ କୋଟି, ବଡମ୍ବା ମୋହନ ସୁବୁଧି ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ନରସିଂହପୁର ଜୁନିୟର କଲେଜ ପାଇଁ ୧.୨୫ କୋଟି, କାନପୁର ଆଂଚଳିକ ମହାବିଦ୍ୟାଳୟ ପାଇଁ ୧.୨୫ କୋଟି, ବାଣେଶ୍ୱରୀ ପର୍ଯ୍ୟଟନ କ୍ଷେତ୍ର ପାଇଁ ୧.୮୦ କୋଟି, ନରସିଂହପୁର ଆମ ହସ୍ପିଟାଲ ପାଇଁ ୪.୧୬ କୋଟି ଟଙ୍କା ମଞ୍ଜୁର ହୋଇଛି । ବାଙ୍କୀ ଅଂଚଳରେ ମା’ ଚର୍ଚ୍ଚିକା ପୀଠ ଉନ୍ନତିକରଣ ପାଇଁ ୧୧.୦୩ କୋଟି, ବାଙ୍କୀ ଅଟୋନମସ୍ ଡିଗ୍ରୀ କଲେଜ ପାଇଁ ୧.୫୦ କୋଟି, କଳାପଥର ଧଳାପଥର ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୦.୫୦ କୋଟି, ଅଂଶୁପା ଡିଗ୍ରୀ କଲେଜ ପାଇଁ ୦.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଆଠଗଡ ଅଞ୍ଚଳରେ ବାବା ଧବଳେଶ୍ୱର ମନ୍ଦିର ପାଇଁ ୧୭.୫୦ କୋଟି, ସାପୁଆ ନଦୀର ସେତୁ ପାଇଁ ୬.୧୪ କୋଟି, ଗୋପବନ୍ଧୁ ଡିଗ୍ରୀ ବିଜ୍ଞାନ କଲେଜ ପାଇଁ ୧ କୋଟି, ନୂଆପାଟଣା ଚୈତନ ସାହୁ ଯୁକ୍ତ ଦୁଇ କଲେଜ ପାଇଁ ୦.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି । ନିଆଳି ଅଂଚଳରେ ମାଧବାନନ୍ଦ ଜୀଉ ମନ୍ଦିର ପାଇଁ ୪.୮୪ କୋଟି, ଗୋବିନ୍ଦପୁର ଡିଗ୍ରୀ କଲେଜ ପାଇଁ ୧.୫୦ କୋଟି, ବ୍ରାହ୍ମଣଝରିଲୋ ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ଦୋଳ ଗୋବିନ୍ଦ ବ୍ରଜ କିଶୋର ଡିଗ୍ରୀ କଲେଜ କସରଦା ପାଇଁ ୧ କୋଟି, ଅଡସପୁର ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି । କଟକ ସଦର ଅଂଚଳରେ ନେମାଳ ଅଚ୍ୟୁତାନନ୍ଦ ଦାସ ପୀଠ ପାଇଁ ୨୩.୦୩ କୋଟି, ପରମହଂସ ପୀଠର ଉନ୍ନତିକରଣ ପାଇଁ ୪.୯୬ କୋଟି, ଚିତ୍ରୋତ୍ପଳା ନଦୀ ଉପରେ ସେତୁ ପାଇଁ ୫୩.୦୪ କୋଟି, କନ୍ଦରପୁର ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଛି । ସେହିପରି ସାଲେପୁର ଅଂଚଳରେ ମଧୁବାବୁଙ୍କ ଜନ୍ମସ୍ଥଳୀର ବିକାଶ ପାଇଁ ୨୧.୦୨ କୋଟି, ସାଲେପୁର ସ୍ୱୟଂଶାସିତ କଲେଜ ପାଇଁ ୧.୫୦ କୋଟି, ବହୁଗ୍ରାମ କଲେଜ ପାଇଁ ୨ କୋଟି, ଟାଙ୍ଗୀ ମହାବିଦ୍ୟାଳୟ ପାଇଁ ୦.୫୦ କୋଟି, ଟାଙ୍ଗୀଠାରେ ଆମ ହସ୍ପିଟାଲ ପାଇଁ ୩.୬୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହିପରି କଟକ ଜିଲ୍ଲାରେ ସମୁଦାୟ ୩୨ଟି ପ୍ରକଳ୍ପ ପାଇଁ ୨୧୩.୫୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ୫ଟି ସଚିବ ପ୍ରକାଶ କରିଥିଲେ ।
ସେହିପରି କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଅଂଚଳରେ ମା’ ରାମଚଣ୍ଡୀ ମନ୍ଦିର ପାଇଁ ୫.୮୭ କୋଟି, ଜମ୍ବୁ ଲକ୍ ଏରିଆ ସୌନ୍ଦର୍ଯ୍ୟକରଣ ପାଇଁ ୭.୫୦ କୋଟି, ମାର୍ଶାଘାଇ ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୨ କୋଟି, ବାୟାବାବା ଡିଗ୍ରୀ କଲେଜ ପାଇଁ ୧ କୋଟି, ହୁକିଟୋଲା ପର୍ଯ୍ୟଟନ କ୍ଷେତ୍ର ପାଇଁ ୧.୮୭ କୋଟି ଟଙ୍କା ମଞ୍ଜୁର ହୋଇଛି । କେନ୍ଦ୍ରାପଡା ଅଞ୍ଚଳରେ କେନ୍ଦ୍ରାପଡା ସ୍ୱୟଂଶାସିତ କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୨.୭୫ କୋଟି, ତୁଳସୀ ମହିଳା ମହାବିଦ୍ୟାଳୟ ପାଇଁ ୧.୭୫ କୋଟି, ବିରୂପା କଲେଜ ପାଇଁ ୧ କୋଟି, ବଳଦେବ ଜୀଉ ମନ୍ଦିର ପାଇଁ ୫.୯୫ କୋଟି ଟଙ୍କା ମଞ୍ଜୁର ହୋଇଛି । ପାଟକୁରା ଅଞ୍ଚଳରେ ଦଧିବାମନ ଜୀଉ ପାଇଁ ୪.୯୬ କୋଟି, ଲୋକନାଥ ଡିଗ୍ରୀ କଲେଜ ଓ ଉଚ୍ଚମାଧ୍ୟମିକ ସ୍କୁଲ ପାଇଁ ୨ କୋଟି, କରିଲୋପାଟଣା ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, କରିଲୋପାଟଣା ଉଚ୍ଚମାଧ୍ୟମିକ ସ୍କୁଲ ପାଇଁ ୧ କୋଟି, ଉତ୍କଳ ଗ୍ରାମୀଣ ପ୍ରଡ୍ୟୁସର ଗ୍ରୁପ ୦.୨୫ କୋଟି ଟଙ୍କା ମଞ୍ଜୁର ହୋଇଛି । ରାଜନଗର ଅଞ୍ଚଳରେ ସାତଭାୟା ଲୋକଙ୍କ ଥଇଥାନ ପାଇଁ ୨୨.୫୨ କୋଟି, କେରଡାଗଡ ବାୟାବାବା ମଠ ପାଇଁ ୪.୯୬ କୋଟି, ବଗପାଟିଆ ପଞ୍ଚୁବରାହୀ ମନ୍ଦିର ପାଇଁ ୪.୯୪ କୋଟି, କେରଡାଗଡ ଜଗନ୍ନାଥ ମନ୍ଦିର ପାଇଁ ୩.୦୩ କୋଟି, ବ୍ରାହ୍ମଣୀ ସେତୁ ପାଇଁ ୫୯.୮୭ କୋଟି ଟଙ୍କା ମଞ୍ଜୁର ହୋଇଛି । ଆଳି ଅଞ୍ଚଳରେ ଲକ୍ଷ୍ମୀବରାହ ଜୀଉ ମନ୍ଦିର ପାଇଁ ୭.୯୬ କୋଟି ଟଙ୍କା ମଞ୍ଜୁର କାରାଯାଇଛି । ଏହିପରି କେନ୍ଦ୍ରାପଡା ଜିଲ୍ଲାରେ ୨୧ଟି ପ୍ରକଳ୍ପ ପାଇଁ ୧୪୨.୪୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ୫ଟି ସଚିବ ପ୍ରକାଶ କରିଥିଲେ ।
କେନ୍ଦ୍ରାପଡା ଜିଲ୍ଲାର ସିକିମ୍ ରୟତ ମାନଙ୍କୁ ଖୁବ ଶୀଘ୍ର ଜମିପଟ୍ଟା ଦିଆଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ଏହା ଦ୍ୱାରା ଜିଲ୍ଲାର ୫୦ ହଜାର ପରିବାର ଉପକୃତ ହେବେ । ସେମାନଙ୍କର ଦୀର୍ଘ ଦିନର ସମସ୍ୟା ଦୂର ହେବ ।