ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ଭିତରେ ଭୟାବହ ଯୁଦ୍ଧ ଲାଗିରହିଛି । ତେବେ ଏହାରି ଭିତରେ ଇସ୍ରାଏଲରେ ଫସିରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି । ଆଜି ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ଅପରେସନ ଅଜୟରେ ଇସ୍ରାଏଲରୁ 235 ଭାରତୀୟଙ୍କ ନେଇ ଦିଲ୍ଲୀରେ ପହଞ୍ଚିଛି ସ୍ୱତନ୍ତ୍ର ବିମାନ । ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂହ ଏୟାରପୋର୍ଟରେ ସମସ୍ତଙ୍କ ସ୍ୱାଗତ କରିଛନ୍ତି ।
ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଯୁଦ୍ଧ ପରିସ୍ଥିତି ଲାଗିରହିଛି । ଫସିରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଅପରେସନ ଅଜୟ ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଯାତ୍ରୀଙ୍କୁ ନେଇ ଶୁକ୍ରବାର ଦିନ ବିମାନର ଦିଲ୍ଲୀରେ ପହଞ୍ଚିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ରାତି 11.02ରେ ଇସ୍ରାଏଲର ରାଜଧାନୀ ତେଲଅଭିବରୁ ଭାରତୀୟଙ୍କୁ ନେଇ ବିମାନ ଉଡାଣ ଭରିଥିଲା । ଆଜି ସକାଳେ ଏହି ବିମାନ ଦିଲ୍ଲୀରେ ପହଞ୍ଚିଛି । ଭାରତରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟମାନେ ଖୁସି ବ୍ୟକ୍ତ କରିବା ସହ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।