ଭୁବନେଶ୍ୱର, 27 ସେପ୍ଟେମ୍ବର – ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ୍ ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଆଟେଣ୍ଡାଂଟଙ୍କୁ ନିଲମ୍ବିତ କରାଯାଇଛି । ଦାୟିତ୍ୱରେ ଅବହେଳା ପାଇଁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସସ୍ପେଣ୍ଡ କରିଛନ୍ତି ।
ଘଟଣା ସମ୍ପର୍କରେ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଶିଶୁ ଅଦଳବଦଳ ଘଟଣାରେ ଆରମ୍ଭ ହୋଇଥିବା ତଦନ୍ତ ଜାରି ରହିବ । ନବଜାତର ବାପାଙ୍କୁ ଖବର ଦେଇଥିବା ଆଟେଣ୍ଡାଂଟଙ୍କୁ କାର୍ଯ୍ୟାନ୍ତର ହୋଇଛି । ତଦନ୍ତ ପାଇଁ ଗଠିତ କମିଟିର ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଭୁଲ ବୁଝାମଣା ଯୋଗୁ ଏପରି ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଶିଶୁ ଜନ୍ମ ହେବା ପରେ ରଖାଯାଇଥିବା ସମସ୍ତ ପ୍ରମାଣ ଝିଅ ଦର୍ଶାଉଛି । ଶିଶୁ ଜନ୍ମ ହେବା କ୍ଷଣି ଶିଶୁର ମାଆକୁ ସୂଚନା ଦିଆଯାଇଥିଲା । ଶିଶୁର ପିତା ଝିଅ ଗ୍ରହଣ କରିବାକୁ ରାଜି ନ ଥିବାରୁ ପୁଲିସ ପଦକ୍ଷେପ ନେବ ।
ସୂଚନା ଅନୁଯାୟୀ ଗତକାଲି ରାଜକନିକା ଅଂଚଳର ପ୍ରାଣକୃଷ୍ଣ ବିଶ୍ୱାଳ ତାଙ୍କ ଛୁଆ ଅଦଳବଦଳ ହୋଇଥିବା ଅଭିଯୋଗ କରିଥିଲେ । ତାଙ୍କୁ ପ୍ରଥମେ ପୁଅ ହୋଇଥିବା ନର୍ସ କହିଥିଲେ ହେଁ ପରେ ଶିଶୁକନ୍ୟାକୁ ଆଣି ଦେଇଥିଲେ ।
ପ୍ରାଣକୃଷ୍ଣ ଏନେଇ କ୍ୟାପିଟାଲ ନିର୍ଦ୍ଦେଶକ ଓ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଛୁଆର ଡିଏନଏ ଟେଷ୍ଟ କରିବାକୁ ଦାବି କରିଥିଲେ ।