ଭୁବନେଶ୍ୱର, 28 ଫେବୃଆରୀ : –ନବୀନ ସରକାର ଦୁର୍ନୀତିରେ ବୁଡ଼ି ରହିଛି । ସରକାରୀ ଯୋଜନାରେ ୪୦ପ୍ରତିଶତ ପିସି ନିଆଯାଉଛି । ଖଣି ଦୁର୍ନତି, ପାଣି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି, ଜମି ଦୁର୍ନୀତି, ଡାଲି ଦୁର୍ନୀତି, ବିଜୁଳି ଦୁର୍ନୀତି, ଛାତ୍ରବୃତି ଦୁର୍ନୀତି ପ୍ରଭୃତି ଦୁର୍ନୀତି ପାଇଁ ନବୀନ ସରକାର ଏକ ଦୁର୍ନୀତିଖୋର ସରକାର ଭାବେ ପରିଗଣିତ । ରାଜ୍ୟରେ ଦରଦାମ ବୃଦ୍ଧି ଉତ୍କଟ ଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଚେଷ୍ଟିତ ନାହାନ୍ତି । ସୁତରାଂ ଓଡ଼ିଶାର ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧି ନବୀନ ସରାକାରକୁ ହଟାଇବା ପାଇଁ ଆସନ୍ତା ମାର୍ଚ୍ଚ ୧ ତାରିଖରେ ନବୀନ ନିବାସ ଘେରାଉ କରାଯିବ । ଏହି କାର୍ଯ୍ୟକ୍ରମରେ ଅଖିଳଭାରତ ଯୁବ କଂଗ୍ରେସ ସଭାପତି ବି.ଭି. ଶ୍ରୀନିବାସ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଯୋଗଦେବେ ବୋଲି ବୁଧବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ “ନବୀନ ହଟାଅ, ଓଡ଼ିଶା ବଂଚାଅ” ପୋଷ୍ଟର ମଧ୍ୟ ଉନ୍ମୋଚନ କରାଯାଇଛି ।
ସେ କହିଥିଲେ ଯେ ଦୀର୍ଘ ୨୪ ବର୍ଷର ନବୀନ ସରକାରରେ ଓଡ଼ିଶାର ଯୁବ ସମାଜ ଉପେକ୍ଷିତ, ଲୁଣ୍ଠିତ ଏବଂ ଅତ୍ୟାଚାରିତ । ବର୍ଷକୁ ୨ଲକ୍ଷ ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କର ପ୍ରତିଶ୍ରୁତି ଅନୁଯାୟୀ ୨୪ ବର୍ଷରେ ୪୮ ଲକ୍ଷ ନିଯୁକ୍ତି ଦେବା କଥା, ଦୁଃଖର କଥା ଏହକିଯେ ନବୀନ ସରକାରରେ ୨ଲକ୍ଷ ୨୬ ହଜାର ପଦବୀ ଖାଲି ପଡ଼ିଛି । ଏବେ ୧୦ଲକ୍ଷ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରାଇ ନିଯୁକ୍ତି ପାଇଁ ଚିତ୍କାର କରୁଛନ୍ତି । ନିଯୁକ୍ତି ବା କର୍ମସଂସ୍ଥାନ ନ ମିଳିବାରୁ ଓଡ଼ିଶାର ଶିକ୍ଷିତ ବେକାର ଯୁବକ ଯୁବତୀ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । ଘରୋଇ ଶିଳ୍ପ ଓ ନବୀନ ସରକାରର ମଧୁଚନ୍ଦ୍ରିକାରେ ଓଡ଼ିଶାର ଯୁବକ ଯୁବତୀମାନଙ୍କର ସ୍ୱାର୍ଥ ଅବହେଳିତ ।

ନିର୍ବାଚନ ଆସିଲେ ନବୀନ ସରକାର ଯୁବ ସମାଜକୁ ଭୂଆଁ ବୁଲାଇବାକୁ ନୂଆ ଯୋଜନା ଘୋଷଣା କରନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ “ବିଜୁ ଯୁବ ବାହିନୀ” ଘୋଷଣା ହେଲା । ରାଜ୍ୟ ରାଜକୋଷରୁ ୪୫୦ କୋଟି ଟଙ୍କା ବ୍ୟୟ କରି ନବୀନ ସରକାର ଦଳୀୟ କର୍ମୀ ପୋଷଣ କଲେ । ୨୦୨୪ ନିର୍ବାଚନରେ ଯୁବ ଭୋଟରଙ୍କୁ ଆକର୍ଷିତ କରିବାପାଇଁ ଯେଉଁ “ସ୍ୱୟମ” ଯୋଜନା ପ୍ରଣୟନ କରିଛନ୍ତି ତାହା କେବଳୁ ଭୂଆଁ ବୁଲାଇବାକୁ ଉଦ୍ଦିଷ୍ଟ । ଖୁବ ଶୀଘ୍ର ଆଚରଣ ବିଧି ଲାଗୁ ହେଉଥିବାରୁ ଏହି ଯୋଜନାରେ ଅଧିକ ଯୁବକ ଯୁବତୀ ସାମିଲ ହୋଇପାରିବେ ନାହିଁ ଏବଂ ନିର୍ବାଚନ ପରେ “ବିଜୁ ଯୁବାହିନୀ” ପରୀ “ସ୍ୱୟମ” ଯୋଜନା ବି ନଥିବ ।
ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା ଆଜି ବିପର୍ଯ୍ୟସ୍ତ । ଓଡ଼ିଶାର ୩ ହଜାର ସ୍କୁଲରେ ମାତ୍ର ଜଣେ ଜଣେ ଶିକ୍ଷକ ରହିଛନ୍ତି । ବିଶେଷକରି ଡିଗ୍ରୀ କଲେଜ ଏବଂ ୟୁନିଭରସିଟି ମାନଙ୍କରେ ଅର୍ଦ୍ଧାଧିକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ଓଡ଼ିଶାର ୧୭ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ମାତ୍ର ୯ଟି ବିଶ୍ୱବିଦ୍ୟାଳୟରେ କୁଳପତି ଅଛନ୍ତି । ବିଶ୍ୱବିଦ୍ୟାଳୟ ମାନଙ୍କରେ ୬୦ ପ୍ରତିଶତ ପ୍ରଫେସର, ଆସୋସିଏ ପ୍ରଫେସର ଏବଂ ଆସିଷ୍ଟାଣ୍ଡ ପ୍ରଫେସର ପଦବୀ ଖାଲି ପଡ଼ିଛି । ଓଡ଼ିଶା ସରକାରୀ ସ୍ୱାସ୍ଥ୍ୟ ସେବାରେ ୧୫,୭୭୪ ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୭୫୬୧ ପଦବୀ ଖାଲି ପଡ଼ିଛି । ରୋଗୀ ଖଟିଆରେ ବୁହାହୋଇ ଡାକ୍ତରଖାନା ଆସୁଛନ୍ତି । ଓଡ଼ିଶାରେ ଦିନକୁ ୯ଜଣ ମହିଳା ଦୁଷ୍କର୍ମର ଶିକାର । ଓଡ଼ିଶାର ଚାଷୀ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ ଗରିବ । କୃଷକର ପରିବାରର ଆୟ ମାସକୁ ୫୧୧୨ ଟଙ୍କା ମାତ୍ର । ୪୬ ପ୍ରତିଶତ ଚାଷୀ ଶୋଚନୀୟ ଭାବେ ଋଣବୋଝରେ ହନ୍ତସନ୍ତ ।
ଏହି ସବୁ ପ୍ରସଙ୍ଗକୁ ନେଇ ଯୁବ କଂଗ୍ରେସ ମାର୍ଚ୍ଚ ୧ ତାରିଖରେ ନବୀନ ନିବାସ ଘେରାଉ ଡାକରା ଦେଇଛି । ଓଡ଼ିଶାର ଯୁବକମାନେ ନିଜର ହକ ଓ ନ୍ୟାୟ ଦାବିରେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅଖିଳ ଭାରତ ଯୁବ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ମିଲିନ୍ଦ ଗୌତମ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସଂପାଦକ ସୁଦୀପ ସାମଲ, ରାଜ୍ୟ ସାଧାରଣ ସଂପାଦକ ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, ପିସିସି ସାଧାରଣ ସଂପାଦକ ମନୋଜ ବିଶ୍ୱାଳ, ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମ, ସ୍ୱାଗତ କର ପ୍ରମୁଖ ଉପସ୍ଥିତ ଥିଲେ ।