ବଲାଙ୍ଗିର : ଐତିହ୍ୟ ସମ୍ପନ୍ନ ରାଣୀପୁର ଝରିଆଲ ମନ୍ଦିର କମିଟି ତରଫରୁ କମିଟିର ଆବାହକ ଅନିଲ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଯୋଗିନୀ ପିଠର ଏକ ସୁନ୍ଦର ଫଟୋଚିତ୍ର ଉପହାର ଦେବାସହ ଅଞ୍ଚଳ ବାସୀଙ୍କ ତରଫରୁ ଉତ୍ତରୀୟ ଦେଇ ସମ୍ମାନ ଜଣାଇଥିଲେ ଏବଂ ପିଠର ଉନ୍ନତିକରଣ ପାଇଁ ଗତକାଲି ଆଲୋଚନା କରିଥିଲେ ।
ପ୍ରକାଶ ଥାଉକି, ଚଳିତ ବର୍ଷ ଅଗଷ୍ଟ ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ରାଣୀପୁର ଝରିଆଲ ଗସ୍ତରେ ଆସିଥିଲେ। ଏହି ଗସ୍ତକୁ ନେଇ ଅଞ୍ଚଳରେ ପୀଠର ବିକାଶ ହେବ ବୋଳି ଲୋକଙ୍କ ମନରେ ଆଶାସଞ୍ଚାର ହୋଇଥିଲା । କିନ୍ତୁ, ଗସ୍ତର ଦୁଇ ମାସ ବିତି ଯାଇଥିଲେ ହେଁ ଆଶାନୁରୂପ କୌଣସି ଖବର ନ ଆସିବାରୁ ବଲାଙ୍ଗୀର ଜିଲ୍ଲାପାଳ ରାଣାଙ୍କୁ ଭେଟି ମନ୍ଦିର କମିଟି ପୀଠରେ ବର୍ତ୍ତମାନ ଥିବା ସମସ୍ୟା ଗୁଡିକ ଦୂର କରିବା ତଥା ଉନ୍ନତିକରଣ ପାଇଁ ସରକାରଙ୍କୁ ଜଣାଇବା ପାଇଁ ଅନୁରୋଧ କରିଥିଲେ। ତେବେ ଜିଲ୍ଲାପାଳ ରାଣା ଆଗରୁ ପିଠ ପାଇଁ ରାଜ୍ୟ ସରକାର ୪ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ହେଲେ ପୀଠ ଏଏସଆଇ ବିଭାଗ ଅଧିନରେ ଥିବାରୁ ପ୍ରଥମେ ସେତିକି ଅର୍ଥର କାମ ଆରମ୍ଭ କରିବାପାଇଁ ଏଏସଆଇକୁ ଓଟିଡିସି ତରଫରୁ ଅନୁମତି ମରାଯାଇଛି। ଅନୁମତି ମିଳି କାମ ଆରମ୍ଭ ହେଲାପରେ ସ୍ଥିତି ଦେଖି ପୁଣି ସରକାର ଅନୁଦାନ ଯୋଗାଇ ଦେବେ ବୋଲି କହିଥିଲେ।
ଏହି ସମୟରେ କମିଟି ତରଫରୁ ମନ୍ଦିର କମିଟିର ସଭାପତି ମାଣିକଚନ୍ଦ ଜୈନ, ଆବାହକ ଅନିଲ କୁମାର ତ୍ରିପାଠୀ, ଝରିଆଲ ସରପଞ୍ଚ ଭରଦ୍ଵାଜ ଗହୀର, ଅଲଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ, ମଞ୍ଜେସ ମେହେର, ଗୋପିନାଥ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।