ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର ଦିନ ରାୟଗଡା ଜିଲ୍ଲାର କନସାରିଗୁଡାରେ ପ୍ରସ୍ତାବିତ ଆଲୁମିନା ରିଫାଇନାରୀ ପାଇଁ ଓଡିଶା ମାଇନିଂ କର୍ପୋରେସନ ହିଂଡାଲକୋ ସହ ଦୀର୍ଘ କାଳୀନର ମ୍ୟାଟେରିଆଲ ଲିଂକେଜ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଓଏମସିର ପରିଚାଳନା ନିର୍ଦେଶକ ବଲୱନ୍ତ ସିଂହ ଓ ହିଂଡାଲକୋର ପରିଚାଳନା ନିର୍ଦେଶକ ସତୀଶ ପାଇ ଏହି ଚୁକ୍ତିରେ ହସ୍ତାକ୍ଷର କରିଛନ୍ତି । ଏହି ଚୁକ୍ତି କାରଣରୁ ଦୁଇ ମିଲିୟନ ଟନ ଆଲୁମିନା ରିଫାଇନାରୀ ସ୍ଥାପନା ପାଇଁ କାମ ତ୍ୱରାନ୍ୱିତ ହେବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡିଶାର ଶିଳ୍ୱ ବିକାଶର ଯାତ୍ରା ଆଜିର ଦିନ ହେଉଛି ଏକ ଗୁରୁତ୍ୱପୂର୍ଣ ମାଇଲଖୁଂଟ । ସେ କହିଛନ୍ତି ଯେ ଏହି ପ୍ରକଳ୍ପରେ ମୋଟ ୮ ହଜାର କୋଟି ଟଙ୍କା ବିନିଯୋଗ ହେବ । ଏହି ପ୍ରକଳ୍ପ ଫଳରେ ଏକ ହଜାର ପ୍ରତ୍ୟକ୍ଷ ରୋଜଗାର ମିଳିବାକୁ ଥିବା ବେଳେ ଚାରି ହଜାର ଲୋକଙ୍କୁ ପରୋକ୍ଷ ଭାବେ ରୋଜଗାର ମିଳିବ ।
କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଲମ ବିରଲା ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।