ବଲାଙ୍ଗିର, ୧୩ ଅପ୍ରେଲ – ଆଜି ବଲାଙ୍ଗୀର ଗସ୍ତରେ ଓଡିଶା ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଳ ସିଂ ତୋମର। ପଥରଚେପା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବଲାଙ୍ଗୀର ଲୋକସଭା ଓ ବିଧାନସଭା ସାଙ୍ଗଠାନିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ସାଙ୍ଗଠନିକ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ବଲାଙ୍ଗୀର ବିଜେପି ସଭାପତି ଶିବାଜୀ ମହାନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜ୍ୟ ସାଙ୍ଗଠାନିକ ସମ୍ପାଦକ ମାନସ ମହାନ୍ତି, ଲୋକସଭା ରାଜ୍ୟ ବିସ୍ତାରକ ପ୍ରଦୀପ୍ତ କୁମାର ରାୟ, ବଲାଙ୍ଗୀର ଲୋକସଭା ପ୍ରଭାରୀ ଭବେନ୍ଦ୍ର ପଣ୍ଡା, ବଲାଙ୍ଗୀର ଲୋକସଭା ସଂଯୋଜକ ଦୀନେଶ ଶର୍ମା, ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ, ବରିଷ୍ଠ ବିଜେପି ନେତା ଓ ପାଟଣାଗଡ଼ ବିଜେପି ବିଧାନସଭା ପ୍ରାର୍ଥୀ କନକ ବର୍ଦ୍ଧନ ସିଂଦେଓ ଓ ବଲାଙ୍ଗୀର ବିଜେପି ବିଧାନସଭା ପ୍ରାର୍ଥୀ ଗୋପାଳଜି ପାଣିଗ୍ରାହୀ ଉପସ୍ଥିତ ଥିଲେ। ବଲାଙ୍ଗୀର ଓ ସୁବର୍ଣପୁର (ସୋନପୁର ) ଲୋକସଭା ଓ ବିଧାନସଭାର ବିଜେପି କାର୍ଯ୍ୟକର୍ତା ଶହ ଶହ ସଂଖ୍ୟାରେ ଯୋଗ ଦେଇଥିବା ବେଳେ ଏହି ସାଙ୍ଗଠାନିକ ବୈଠକରେ ବଲାଙ୍ଗୀର ଜିଲ୍ଲା ଓ ସୋନପୁର ଜିଲ୍ଲାର ଅନ୍ୟ ସମସ୍ତ ବିଧାନସଭା ବିଜେପି ପ୍ରାର୍ଥୀ ମାନେ ମଧ୍ୟ ଯୋଗଦେଇଥିଲେ।

ବିଜେପି କାର୍ଯ୍ୟାଳୟରେ ପଶିବା ପୂର୍ବରୁ ସୋନପୁର ଜିଲ୍ଲାର ବୀରମହାରାଜପୁରର ବିଧାନସଭାର ପ୍ରାର୍ଥି ବଦଳାଇବାକୁ ଦାବିକରି ଆନନ୍ଦ ବାରିକଙ୍କ ସମର୍ଥକ କାର୍ଯ୍ୟାଳୟ ସମ୍ମୁଖରେ ହୋହଲ୍ଲା କରିଛନ୍ତି । ପ୍ରଭାରୀ ଶ୍ରୀ ତୋମାର ଏନେଇ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ, ସୋନପୁର ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ଉପସ୍ଥିତିରେ ଆଶାୟୀପ୍ରାର୍ଥି ଆନନ୍ଦ ବାରିକଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି । ତେବେ ଏହି ଆଲୋଚନା କେତେ ସଫଳ ହୋଇଛି ଜଣାନାହିଁ, କିନ୍ତୁ ଆସନ୍ତାକାଲି ଭୁବନେଶ୍ଵର କାର୍ଯ୍ୟାଳୟକୁ ଆନନ୍ଦ ବାରିକଙ୍କୁ ଡକରା ହୋଇଥିବା ସୂଚନା ମିଳିଛି ।
ଶ୍ରୀ ବାରିକ ଗଣମାଧ୍ୟମକୁ କହିଛନ୍ତି ଯେ, ତାଂକୁ କହିବା ଅନୁସାରେ ତାଙ୍କର ନିର୍ବାଚନ ମଣ୍ଡଳୀରେ ବୁଥ ସ୍ତରରୁ ଗତ ୫ ବର୍ଷ ହେଲା ସଂଗଠିତ କରି ଆସିଛନ୍ତି, ତାଙ୍କୁ ପ୍ରାର୍ଥୀ କରା ନଯାଇ ବଦଳିଥିବାରୁ ଦଳର ସ୍ଥିତି ବିଗିଡି ଯିବ। ତେଣୁ ତାଂକ କଥା ଉପରେ ଦଳ ବିଚାର କରୁ। ପ୍ରଭାରୀ ସମଗ୍ର ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକର ସମୀକ୍ଷା କରି ସ୍ଥିତି ଅନୁଧ୍ୟାନ କରିଥଲେ।