ଓଡ଼ିଶାରେ ‘ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, ସେପ୍ଟେମ୍ବର ୨୪ – ବିଗତ ବର୍ଷ ମାନଙ୍କରେ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ପୂର୍ବରୁ କରାଯାଇଥିବା ଅଣଦେଖା ମୋଦି ସରକାରରେ ଦୂର ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରରେ ଅମୃତକାଳରେ ଯାତ୍ରୀ ସୁବିଧା ବଢିବା ସହ ଓଡ଼ିଶାର ରେଳବାଇର ବ୍ୟାପକ ଉନ୍ନତି ହେଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରବିବାର ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସମେତ ଦେଶରେ ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ସମଗ୍ର ଭାରତବର୍ଷ ଓ ଓଡ଼ିଶା ପାଇଁ ଏକ ଗୌରବର ଦିନ । ପ୍ରଧାନମନ୍ତ୍ରୀଙ୍କ କରକମଳରେ ଓଡ଼ିଶାର ସାଂସ୍କୃତିକ ରାଜଧାନୀ ଶ୍ରୀଜଗନ୍ନାଥ ପୁରୀରୁ ଭୁବନେଶ୍ୱର ଦେଇ ଇସ୍ପାତ ନଗରୀ ରାଉରକେଲା ପର୍ଯ୍ୟନ୍ତ ‘ବନ୍ଦେ ଭାରତ ଟ୍ରେନ’ର ଚଳାଚଳ ଶୁଭାରମ୍ଭ ହୋଇଛି । ଏହା ଖୁସିର ବିଷୟ । ଓଡ଼ିଶା ଏବଂ ଦେଶରେ ଯାତ୍ରୀ ସୁବିଧାକୁ ପ୍ରାଥମିକତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ବନ୍ଦେ ଭାରତ ଦେଶର ପ୍ରାୟ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଚଳାଚଳ ହେଲା । ଏବେ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ଧୀରେ ଧୀରେ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ ଚଳାଚଳ ହେଉଛି ।
ଆଜି ପ୍ରଧାନମନ୍ତ୍ରୀ ମୋଦି ଦେଶରେ ୧୧ ରାଜ୍ୟକୁ ଯୋଡୁଥିବା ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ନୂଆ ଭାରତର ସାମର୍ଥ୍ୟ, ସମ୍ଭାବନା ଏବଂ ସଂକଳ୍ପର ପ୍ରତୀକ’ । ଶୁଭାରମ୍ଭ ହୋଇଥିବା ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍ ରାଉରକେଲା, ଝାରସୁଗୁଡା, ରେଢ଼ାଖୋଲ, ସମ୍ବଲପୁର, ଅନୁଗୋଳ, ତାଳଚେର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଭୁବନେଶ୍ଵର ଦେଇ ପୁରୀ ଯାତାୟତ କରିବ । ଏହା ଦ୍ୱାରା ପୁରୀ ଓ ସମ୍ବଲପୁରରେ ଧାର୍ମିକ ପର୍ଯ୍ୟଟନରେ ଅଭିବୃଦ୍ଧି ହେବା ସହ ଆର୍ଥିକ ବିକାଶ ହେବ ଏବଂ ବ୍ୟବସାୟର ସୁଯୋଗ ବୃଦ୍ଧି ହେବ ।
ରେଳ ଦୂରତାକୁ କମାଇଥାଏ । ମହାତ୍ମା ଗାନ୍ଧି ରେଳରେ ବୁଲି ଦେଶରେ ଜାଗରଣ ତିଆରି କରିଥିଲେ । ଏକବିଂଶ ଶତାବ୍ଦୀରେ ଅମୃତ କାଳର ପିଢି ତିଆରି କଲାବେଳେ ବୁଲେଟ ଟ୍ରେନ୍ କଲା ଭଳି ଓଡ଼ିଶାରେ ଟ୍ରେନ୍ ଚଳାଚଳ ହେଉଛି । ପୂର୍ବରୁ ଗତ ମଇ ମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମେ ପୁରୀ-ହାଓ୍ୱଡ଼ା ବନ୍ଦେ ଭାରତ ଟ୍ରେନର ଲୋକାର୍ପଣ ହୋଇଥିବା ବେଳେ କମ୍ ସମୟର ବ୍ୟବଧାନରେ ପୁରୀ- ଭୁବନେଶ୍ୱର- ରାଉରକେଲା ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଟ୍ରେନର ଯୋଜନା ଆରମ୍ଭ ହେଲେ ଉକ୍ତ ଟ୍ରେନକୁ ପୁରୀରୁ ଭାୟା ସମ୍ବଲପୁର, ବରଗଡ଼, କଳାହାଣ୍ଡି, ନୂଆପଡା ଦେଇ ରାୟପୁର ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ପୂର୍ବରୁ ଓଡ଼ିଶାରେ ରେଳ କହିଲେ ଖୋର୍ଦ୍ଧାକୁ ବୁଝାଯାଉଥିଲା । ପୂର୍ବ ସରକାରରେ ଓଡ଼ିଶାରେ ରେଳ ଅନୁଦାନ ବର୍ଷକୁ ହଜାର କୋଟି ଟଙ୍କା ଆସୁନଥିବା ବେଳେ ଆଜି ମୋଦି ସରକାରରେ ବିନା ଦାବିରେ ରେକର୍ଡସଂଖ୍ୟକ ରେଳ ଅନୁଦାନ ଆସୁଛି । ଓଡ଼ିଶାର ପୁରୀ, କଟକ, ଚାଳଚେର ରୋଡ, ରାଉରକେଲା, ବାଲେଶ୍ୱର, ସମ୍ବଲପୁର, ଭଦ୍ରକ, ବ୍ରହ୍ମପୁର ସମେତ ୫୭ଟି ରେଳ ଷ୍ଟେସନକୁ ନବୀକରଣ କରିବାର କାମ ଚାଲୁରହିଛି । ସବୁ ରେଳ ଲାଇନର ଶତପ୍ରତିଶତ ବିଦ୍ୟୁତିକରଣ ହୋଇଛି । ନୂଆ ନୂଆ ରେଳ ଲାଇନ ହେଉଛି । ଯାଜପୁର ରୋଡରୁ ଧାମରା, ଦେବଗଡର ବାରକୋଟରୁ କୁଚିଣ୍ଡା ସବଡିଭିଜନ ଦେଇ ଝାରସୁଗୁଡା ପର୍ଯ୍ୟନ୍ତ ରେଳଲାଇନ ପାଇଁ ସର୍ଭେ କରିବାକୁ ଅର୍ଥ ମଞ୍ଜୁର ହୋଇଛି । ଓଡ଼ିଶାର ସବୁ ସ୍ଥାନରେ ରେଳ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଭାରତ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଲୋକାର୍ପିତ ବନ୍ଦେ ଭାରତ ଟ୍ରେନରେ ଭୁବନେଶ୍ୱରରୁ ଅନୁଗୁଳ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଛାତ୍ରଛାତ୍ରୀ ଏବଂ ଯାତ୍ରୀଙ୍କ ଠାରୁ ବନ୍ଦେ ଭାରତ ଟ୍ରେନ ଯାତ୍ରାର ଅନୁଭୂତି ବୁଝିଥିଲେ । କେନ୍ଦ୍ରମନ୍ତ୍ରୀଙ୍କୁ କଟକ, ଢେଙ୍କାନାଳ, ଅନୁଗୋଳ ସମେତ ବିଭିନ୍ନ ରେଳ ଷ୍ଟେସନ ଠାରେ ସ୍ୱାଗତ କରାଯାଇଥିଲା ।
ୁୁୁ