ଓଡ଼ିଆ ସମାଜର ଆଜିର ଅବସ୍ଥା କଣ ଏବଂ ଏଥିପାଇଁ ମୋର ଦାୟିତ୍ୱ କଣ ? ଏହା ହିଁ ବର୍ଲମାନର ପ୍ରସଙ୍ଗ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 23 ସେପ୍ଟେମ୍ବର – ଓଡ଼ିଆ ସମାଜର ଆଜିର ଅବସ୍ଥା କଣ ଏବଂ ମୋ ସମାଜକୁ ଆଗକୁ ନେବା ପାଇଁ ମୋର ଦାୟିତ୍ୱ କଣ? ମୋର କାମ କଣ, ମୋର ଭବିଷ୍ୟତ କଣ? ଏହା ହିଁ ପରିଚୟର କଳ୍ପନାର ଗୋଟିଏ କାମ ବୋଲି ଶନିବାର ଭୁବନେଶ୍ୱରରେ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ’ର ଏକାଦଶ ଓଡ଼ିଶା ଲିଟେରାରୀ ଫେଷ୍ଟିଫାଲ -୨୦୨୩ (ଓଏଲଏଫ)ର ଉଦଘାଟନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଏଲଏଫର ବିଷୟ ବସ୍ତୁ ‘ଦ ଆଇଡିଆଜ୍ ଅଫ୍ ଆଇଡେଂଟି ‘ ତଥା ‘ପରିଚୟର କଳ୍ପନା’ ଉପରେ ମତ ରଖିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗୋଟିଏ ମଣିଷ, ସଭ୍ୟତା, ଭୌଗୋଳିକ ଅଞ୍ଚଳ କିମ୍ବା ବର୍ଗବିଶେଷର ଏକ ପରିଚୟ ରହିଥାଏ । ଭାଷା, ସଜ୍ଞା, ଆରାଧ୍ୟ ଦେବତାକୁ ନେଇ ପରିଚୟ ତିଆରି ହୋଇଥାଏ ଏବଂ ସ୍ଥାନ, କାଳ, ପାତ୍ର ନେଇ ପରିଚୟ ମଧ୍ୟ ପରିବର୍ତ୍ତିତ ହୋଇଥାଏ । କୌଣସି ନା କୌଣସି ବିଷୟକୁ ନେଇ ସ୍ୱାଭିମାନ ସହ ଚାଲିବା ପାଇଁ ପରିଚୟ ଦରକାର । ଆମେ ଓଡ଼ିଆ ଭାଷାଭାଷୀ ଲୋକମାନଙ୍କ ନାଁ କେତେବେଳେ ବିଭିନ୍ନ ରୂପରେ ରହିଆସିଛି । ଗୋଟିଏ ସଭ୍ୟତା କୌଣସି ନା କୌଣସି ସମନାତା ସହ ବନ୍ଧା ହୋଇଥାଏ । ସେହି ସମାନତା ଅଧିକ ଥିବା କାରଣରୁ ଆମ ସଭ୍ୟତା ଗୋଟିଏ ଜ୍ୱଳନ୍ତ ଜାଜୁଲ୍ୟମାନ ଦୀପ ସଦୃଶ ଭାବରେ ଅଛି । ଗୋଟିଏ ସଭ୍ୟତାର ଚିନ୍ତାର ଫଳାଫଳ କଣ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।
ଆମ ରାଜ୍ୟ ଓଡ଼ିଶାକୁ ତଥ୍ୟ ଓ ଇତିହାସର ଦୃଷ୍ଟିକୋଣରୁ ଦେଖିଲେ ଆମ ରାଜ୍ୟ ହଜାର ହଜାର ବର୍ଷ ତଳର । ଅନେକ ଉତଥାନ ପତନ ମଧ୍ୟରେ ଗୋଟିଏ ସୁସଂସ୍କୃତ ସମାଜ ତା’ର ନିରନ୍ତରତାକୁ ବଜାୟ ରଖିଥାଏ । କଳିଙ୍ଗ ଯୁଦ୍ଧ ଏବଂ ତାହାର ଶାସନ ପ୍ରଣାଳୀ, କୌଣାର୍କରେ ପଥର ଉପରେ ଖୋଦିତ ଜିରାଫର ଚିତ୍ର ଅତୀତରେ ଆଫ୍ରିକା ସହ ଥିବା ସମ୍ପର୍କ ଥିବାର ପ୍ରମାଣ ଦିଏ । କୋଣାର୍କର ପୂଜକ ଇରାନର ସୂର୍ଯ୍ୟ ମନ୍ଦିରରୁ ଆସିଥିବା ଲୋକକଥା ରହିଛି । ଏହି ସବୁ ଲୋକକଥା ଓଡ଼ିଶାର ଗୌରବକୁ ପ୍ରତିଫଳନ କରେ । କୋଣାର୍କରେ ପ୍ରତିଫଳିତ ଜିରାଫ ଚିତ୍ର ଆମ ସମାଜର ମୋବିଲିଟିର ଏକ ବଡ଼ ସଙ୍କେତ ଦେଉଛି । ଆମ ବିଚାର ହିଁ ଆମର ଚରିତ୍ର । ଆମେ ଓଡ଼ିଆ ଲୋକମାନେ ଆମ ହଜାର ହଜାର ବର୍ଷର ପରମ୍ପରାକୁ ଆଧାର କରି ‘ପରିଚୟର କଳ୍ପନା’ କରିବା ଦରକାର ଏବଂ ନିଜ ଅଂଚଳକୁ ଆଗକୁ ନେବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବା ଦରକାର ।
କିଛି ଗବେଷକଙ୍କ କହିବାନୁସାରେ, ଗୋଟିଏ ସମୟରେ ଆମ କଳିଙ୍ଗ ରାଜ୍ୟ ସହ ଭାରତର ଅନେକ ରାଜ୍ୟ ସମ୍ପର୍କ ରଖୁଥିଲେ । କଳିଙ୍ଗର ବନ୍ଦର ସମୂହ ଗୁଡିକରେ ଅନ୍ୟ ସାମ୍ରାଜ୍ୟ ଗୁଡିକର ବ୍ୟବସାୟୀ ବେପାର, ବାଣିଜ୍ୟ କରୁଥିଲେ । କଳିଙ୍ଗ ରାଜ୍ୟ ଅଧା ଭାରତକୁ ହାତୀ ଯୋଗାଉଥିବା ନେଇ ମଧ୍ୟ ଇତିହାସକାର ମାନେ ମତ ଦିଅନ୍ତି । ଜଗତସିଂହପୁରରେ ବସତି ସ୍ଥାପନ, ହଜାର ବର୍ଷର କଟକ ସହରର ତାରକସୀ, ପଶ୍ଚିମ ଓଡ଼ିଶାର ଇକତ ଓ ରଘୁରାଜପୁରର ପଟ୍ଟଚିତ୍ରର ଅନନ୍ୟ ପରିଚୟ ରହିଛି । ଏହି ଭୂଖଣ୍ଡର ପରିଚୟ ଅତି କମରେ ଅଢେଇ ହଜାର ବର୍ଷ ତଳର ବୋଲି କୁହାଯାଇପାରେ । ୧୯୦୮ ମସିହାରେ ବ୍ୟାସକବି ଫକୀର ମୋହନ ସେନାପତି ଅରଟ ପ୍ରବନ୍ଧରେ ଲିଭରୋପୁଲ୍ ର ଲୁଣ ଓ ମାେଂଚଷ୍ଟରର ଲୁଗା ପିନ୍ଧାକୁ ନେଇ କରିଥିବା ପ୍ରଶ୍ନକୁ ନେଇ ପରବର୍ତୀ ପର୍ଯ୍ୟାୟରେ ମହାତ୍ମା ଗାନ୍ଧୀ ସ୍ୱଦେଶୀ ଆନ୍ଦୋଳନ ମାଧ୍ୟମରେ କହିଥିଲେ । ତେବେ ସେହି ସଭ୍ୟତା ଏକବିଂଶ ଶତାବ୍ଦୀରେ କେଉଁଠି ଅଛି? ପରିଚୟର କଳ୍ପନା କଣ ହେବା ଦରକାର ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ସବୁ ଭାରତୀୟ ଭାଷାକୁ ପ୍ରାଥମିକତା ଦେଉଛି । ସବୁ ଭାଷାକୁ ଆମେ ସମ୍ମାନ ଦେବା ଦରକାର । ଶିଶୁଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ମାତୃଭାଷାରେ ପଢାଇବା ପାଇଁ ବାଲବାଟିକାର ବ୍ୟବସ୍ଥା ହୋଇଛି । ପ୍ରଥମରୁ ମାତୃଭାଷାରେ ପାଠ ପଢିଲେ ହିଁ ଶିଶୁଙ୍କର ଅନୁସନ୍ଧାନ, ତର୍କ ଶକ୍ତି ଓ ବୁଝିବାର କ୍ଷମତାରେ ସ୍ପଷ୍ଟତା ଆସିବ । ମାତୃଭାଷାକୁ ପ୍ରାଥମିକତା ନୂଆ ଶିକ୍ଷା ନୀତିର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।