ଭୁବନେଶ୍ୱର, 4 ଅକ୍ଟୋବର – ରାଜ୍ୟ ସରକାର କାଳବିଳମ୍ବ ନକରି ଓଡ଼ିଶାରେ ଜାତିଭିତିକ ଜନଗଣନା ଅତିଶୀଘ୍ର କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ୨୦୨୪ ମସିହା ସୁଧା ରାଜ୍ୟରେ ଜାତିଭିତିକ ଜନଗଣନା କରି ତାହାର ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କରନ୍ତୁ । ଯଦି ରାଜ୍ୟ ସରକାର ରାଜ୍ୟରେ ଜାତିଭିତିକ ଜନଗଣନା ନ କରନ୍ତି ତାହାଲେ କଂଗ୍ରେସ ରାଜ୍ୟରେ ୨୦୨୪ ମସିହାରେ କ୍ଷମତାକୁ ଫେରିଲେ ଜାତିଭିତିକ ଜନଗଣନା ନିଶ୍ଚିତ କରାଯିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ବୁଧବାର ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ।
ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ରାଜ୍ୟ ସରକାର ଅତିଶୀଘ୍ର ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଉ ଏବଂ ଏହି ଅଧିବେଶନରେ ରାଜ୍ୟ ସରକାର ରାଜ୍ୟରେ ଜାତିଭିତିକ ଜନଗଣନା କରାଯିବ ବୋଲି ଏକ ସଂକଳ୍ପ ପ୍ରସ୍ତାବକୁ ପାରିତ କରନ୍ତୁ । ଆଜି ବିହାର ଯେଉଁଭଳି ଭାବରେ ଜାତିଭିତିକ ଜନଗଣନା କରି ତା’ର ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କଲା, ଠିକ୍ ଅନୁରୁପ ଭାବରେ ରାଜ୍ୟରେ ଏହି ପ୍ରକ୍ରିୟାକୁ ତୁରନ୍ତ କାର୍ଯ୍ୟକାରି କରାଯିବାକୁ ଶ୍ରୀ ପଟ୍ଟନାୟକ ଅତ୍ୟନ୍ତ ଗୁରୁତ୍ୱାରୋପ କରିବା ସହିତ ରାଜ୍ୟ ସରକାରଙ୍କୁ ଏ ପ୍ରସ୍ତାବ ଦେଇଛନ୍ତି ।