ଭୁବନେଶ୍ୱର : ସିକ୍କିମରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସରୋଜ କୁମାର ଦାସ ସହିଦ ହୋଇଛନ୍ତି । ଉଦ୍ଧାରକାରୀ ଦଳର ଭିଡିଓ କଲରେ ସହିଦଙ୍କ ମୃତଦେହକୁ ଚିହ୍ନଟ କରିଛନ୍ତି ପରିବାର ଲୋକେ । ସହିଦ ହାବିଲଦାର ସରୋଜ ଭୁବନ ବ୍ଲକ୍ କାମାକ୍ଷାନଗର ଥାନା ଦିଘି ପଂଚାୟତ କେନ୍ଦୁଢ଼ିପ ଗାଁର ରାମଚନ୍ଦ୍ର ଦାସଙ୍କ ସାନପୁଅ । ସରୋଜଙ୍କ ଅକାଳ ବିୟୋଗରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ସରୋଜ ୨୦୧୨ ମସିହା ଅକ୍ଟୋବର ୨୧ ତାରିଖରେ ସେନାରେ ସିପାହୀ ଭାବେ ନିଯୁକ୍ତି ପାଇଥିଲେ । ସିପାହୀରୁ ପଦୋନ୍ନତି ପାଇ ହାବିଳଦାର (ଟେକ୍ନିକାଲ-ଇଏମ୍ଇ) ହେବା ପରେ ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସି ସେପ୍ଟେମ୍ବର ୬ ତାରିଖରେ ସିକିମକୁ ଡ୍ୟୁଟି ପାଇଁ ଯାଇଥିଲେ । ମଙ୍ଗଳବାର ରାତି ୧୦ଟା ବେଳେ ସରୋଜ ପରିବାର ଲୋକଙ୍କ ସହ ମୋବାଇଲରେ କଥା ହୋଇଥିଲେ । ପ୍ରବଳ ବର୍ଷା ଯୋଗୁଁ ସେ ଗାଡ଼ି ଭିତରେ ରହିଥିବା ପରିବାର ଲୋକଙ୍କୁ କହିଥିଲେ । ତେବେ ଏହାପରେ ତାଙ୍କ ସହ ଆଉ ଯୋଗାଯୋଗ ହୋଇ ନଥିଲା । ମାତ୍ର ୭ ମାସ ତଳେ ଗଲା ଫେବ୍ରୁଆରି ୧୧ ତାରିଖ ସେ କଙ୍କଡ଼ାହାଡ଼ର ଲୋପାମୁଦ୍ରା ଦାସଙ୍କୁ ବିବାହ କରିଥିଲେ ।