ଭୁବନେଶ୍ୱର – କଳ୍କୀ ସିନେମା ୨୮୯୮ ଏ.ଡି. ର ରିଭ୍ୟୁ କଲାବେଳେ ସିନେ ତାରକା ମୁକେଶ ଖାନା ଓଡ଼ିଶା ଓ ବିହାରୀ ଲୋକଙ୍କର ବୁଦ୍ଧିମତା ଓ ବୁଝିବା ଶକ୍ତିକୁ ନେଇ ଯେଉଁ ଅବାଂଚିତ କମେଂଟ କରିଛନ୍ତି, ତାହା କେବଳ ଓଡ଼ିଆ ଅସ୍ମିତା ପ୍ରତି ଆହ୍ୱାନ ସୃଷ୍ଟି କରିନାହିଁ ସମଗ୍ର ଓଡ଼ିଆ ଜାତିକୁ କ୍ଷୁବ୍ଧ ଓ ଅପମାନିତ କରିଛି । ତାଙ୍କର ଏହି ବିବାଦୀୟ ମନ୍ତବ୍ୟ ନେଇ ମୁକେଶ ଖାନା ନିଜର ସ୍ପଷ୍ଟିକରଣ ଦେବା ପରିବର୍ତେ ଓଡ଼ିଆ ଜାତି ପାଖରେ କ୍ଷମା ମାଗିବା ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ ଦାବି କରାଯାଇଛି । ସଂଗଠନର ଆବାହକ ରବି ବେହେରା ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ଏଭଳି ମନ୍ତବ୍ୟ ଦେଇ ମୁକେଶଖାନା ଏକ ଅକ୍ଷମଣୀୟ ଅପରାଧ କରିଛନ୍ତି । ଓଡ଼ିଆ ଜାତିର ବୁଦ୍ଧିମତା ଉପରେ ପ୍ରଶ୍ନ ଚିହ୍ନ ଲଗେଇ ସମଗ୍ର ଓଡ଼ିଆ ଜାତିକୁ ଅପମାନିତ କରିଛନ୍ତି । ତେଣୁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଓଡ଼ିଆ ଅସ୍ମିତାକୁ ଆଘାତ ଦେଇଥିବା ଯୋଗୁଁ କ୍ଷମା ଭିକ୍ଷା କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଓଡ଼ିଆ ଅସ୍ମିତାକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିବା ରାଜନୈତିକ ଦଳ ଓ ଗଣସଂଗଠନ ଗୁଡ଼ିକୁ ଅନୁରୋଧ କରି ଶ୍ରୀ ବେହେରା କହିଛନ୍ତି ଯେ, ମୁକେଶଖାନା ଯେପର୍ଯ୍ୟନ୍ତ କ୍ଷମା ଭିକ୍ଷା ନ କରିଛନ୍ତି, ସେ ପର୍ଯ୍ୟନ୍ତ କଳକୀ ଫିଲ୍ମ କୁ ଓଡ଼ିଶାରେ ମୁକ୍ତିଲାଭ କରିବାର ସୁଯୋଗ ଦିଆନଯିବା ଦରକାର । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଘଟଣାରେ ହସ୍ତକ୍ଷେପ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ତା’ନହେଲେ ଆଗାମୀ ଦିନରେ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଗଣଆନ୍ଦୋଳନକୁ ଜୋର୍ଦାର କରାଯିବ ବୋଲି ଶ୍ରୀ ବେହେରା ସତର୍କ କରାଇ ଦେଇଛନ୍ତି । ଏଠାରେ ଉଲ୍ଲେଖଥାଉକି, ମୁକେଶ ଖାନା କଳକୀ ସିନେମା ୨୮୯୮ ଏ.ଡି. ସମୀକ୍ଷା ସମୟରେ ଓଡ଼ିଆ ଓ ବିହାରୀ ଲୋକଙ୍କର ବୁଦ୍ଧିମତା କମ୍, ଏଭଳି ଚଳଚ୍ଚିତ୍ର କେବଳ ପଶ୍ଚିମାଂଚଳ ସିନେପ୍ରେମୀ ମାନେ ବୁଝିପାରିବେ ଓଡ଼ିଆ, ବିହାରୀ ସିନେପ୍ରେମୀ ଏହାକୁ ବୁଝିପାରିବେ ନାହିଁ ବୋଲି ଏଭଳି କଟୁ ଅପମାନଜନକ ଓ ଅବାଂଚିତ ମନ୍ତବ୍ୟ ଦେଇ ଓଡ଼ିଆ ଜାତିର ମେଧା ଓ ଅସ୍ମିତା ଉପରେ କୁଠାରଘାତ କରୁଛନ୍ତି ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି ।